ତାଳଚେର ସ୍ଥିତ ଏଚ୍‌ଡବ୍ଲୁବିଏଫରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବି-୧୧ ଉନ୍ନତିକରଣ ସୁବିଧାର ଉଦ୍‌ଘାଟନ କଲେ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ତଥା ପରମାଣୁ ଶକ୍ତି ବିଭାଗର ସଚିବ ଡ. ଏ.କେ. ମହାନ୍ତି

ନୂଆଦିଲ୍ଲୀ, (ପିଆଇବି) : ଆଣବିକ ଶକ୍ତି ଆୟୋଗ (ଏଇସି)ର ଅଧ୍ୟକ୍ଷ ତଥା ଆଣବିକ ଶକ୍ତି ବିଭାଗ (ଡିଏଇ)ର ସଚିବ ଡ. ଏ.କେ ମହାନ୍ତି ତାଳଚେରସ୍ଥିତ ଭାରୀ ଜଳ ବୋର୍ଡ ସୁବିଧା (ଏଚଡବ୍ଲୁବିଏଫ)ରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବୋରୋନ୍-୧୧ (ବି-୧୧) ଉନ୍ନତିକରଣ ସୁବିଧାକୁ ଉଦ୍‌ଘାଟନ କରିଥିଲେ । ତାଳଚେରସ୍ଥିତ ଏଚ୍‌ଡବ୍ଲୁବିଏଫରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ (>୯୯.୮%)ରେ ବି-୧୧ ଉନ୍ନତିକରଣର ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ଏବେ ଭାରତ ଏହି ପ୍ରଯୁକ୍ତି ରଖୁଥିବା ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇଛି । ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବି୧୧ ବିଏଫ୍୩ ଗ୍ୟାସ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ ଯାହା ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନରେ ପି-ଟାଇପ୍ ଡୋପଣ୍ଟ ଭାବରେ ବ୍ୟବହୃତ ହୋଇଥାଏ । ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ ଅଧୀନରେ ଥିବା ଭାରୀ ଜଳ ବୋର୍ଡ, ମୁମ୍ବାଇର ସବ୍ ୟୁନିଟ୍ ଭାବେ ତାଳଚେର ଏଚ୍‌ଡବ୍ଲୁବିଏଫ ପରମାଣୁ ତଥା ଅଣ-ଆଣବିକ ପ୍ରୟୋଗ ପାଇଁ ବିଭିନ୍ନ ସ୍ପେଶାଲିଟି ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ । ଏହି ୟୁନିଟ୍ ବୋରୋନ୍ -୧୦ (ବି୧୦) ଆଇସୋଟୋପ୍‌ର ପରମାଣୁ ନିୟନ୍ତ୍ରଣ ରଡ୍ ଗ୍ରେଡ୍ (> ୬୭% ଆଇପି) ଏବଂ ନ୍ୟୁଟ୍ରୋନ ଡିଟେକ୍ଟର ଗ୍ରେଡ୍ (>୯୬% ଆଇପି) ଉତ୍ପାଦନରେ ସମ୍ପୃକ୍ତ । ୩ ପର୍ଯ୍ୟାୟ ପରମାଣୁ ଶକ୍ତି କାର୍ଯ୍ୟକ୍ରମ ପାଇଁ ଏହି ବି୧୦ ସମୃଦ୍ଧ ଉତ୍ପାଦ ଅତ୍ୟାବଶ୍ୟକ । ତାଳଚେର ଏଚ୍‌ଡବ୍ଲୁବିଏଫ ମଧ୍ୟ ପରମାଣୁ ଇନ୍ଧନ ଚକ୍ରର ଫ୍ରଣ୍ଟ ଏଣ୍ଡ ଏବଂ ବ୍ୟାକ ଏଣ୍ଡରେ ବ୍ୟବହୃତ ବିଭିନ୍ନ ଅର୍ଗାନୋ ଫସପୋରସ ଦ୍ରବଣ ଉତ୍ପାଦନ କରେ । ଉଦ୍‌ଘାଟନୀ ସମାରୋହରେ ଏଇସି ଅଧ୍ୟକ୍ଷ ତାଳଚେରସ୍ଥିତ ଭାରୀ ଜଳ ବୋର୍ଡର ଅଧିକାରୀମାନଙ୍କୁ ସମ୍ବୋଧିତ କରିବା ସହ ଭାରତର ଭବିଷ୍ୟତ ଶକ୍ତି ନିରାପତ୍ତା ପାଇଁ ଆଣବିକ ଶକ୍ତିର ଗୁରୁତ୍ୱ ଉପରେ ନିଜର ମତ ରଖିଥିଲେ । ସେ ତାଳଚେରସ୍ଥିତ ଏଚ୍‌ଡବ୍ଲୁବିଏଫରେ ହୋଇଥିବା ଗବେଷଣା ପ୍ରୟାସକୁ ପ୍ରଶଂସା କରିଥିଲେ ଯେଉଁଠାରେ ସ୍ପେଶାଲିଟି ସାମଗ୍ରୀ ସମ୍ବନ୍ଧୀୟ ବିଭିନ୍ନ ଜ୍ଞାନକୌଶଳ ବିକଶିତ, ପ୍ରଦର୍ଶନ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା । ଆଣବିକ ଶକ୍ତି କାର୍ଯ୍ୟକ୍ରମରେ ଭାରୀ ଜଳ ବୋର୍ଡର ଭୂମିକା ଏବଂ ବିବିଧ କାର୍ଯ୍ୟକଳାପ ମାଧ୍ୟମରେ ସାମାଜିକ ଲାଭ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏଇସିର ଅଧ୍ୟକ୍ଷ ଡ. ଏ.କେ ମହାନ୍ତି ଓ ଭାରୀ ଜଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଏସ୍ ସତ୍ୟକୁମାର ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଚାରା ରୋପଣ କରିଥିଲେ ।

Leave A Reply

Your email address will not be published.