ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାରେ ସହରବାସୀ ନାରାଜ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ପୌର ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ୱାର୍ଡ ନଂ ୧୦ର ଦୁଇଟି ଘର ଓ ପୁରୁଣା ଅଙ୍ଗନୱାଡ଼ି ଘରକୁ ଜବର ଦଖଲ ଉଚ୍ଛେଦ ଅଭିଯୋଗରେ ଭାଙ୍ଗି ଦିଆଯାଇଛି । ସୂତ୍ରରୁ ଜଣାପଡିଛି ଯେ, ୱାର୍ଡ ନଂ ୧୦ରେ ଥିବା ଅଙ୍ଗନୱାଡ଼ି ଘର ପୁରୁଣା ଓ ଅଧା ଭଙ୍ଗା ହୋଇ ପଡ଼ିଥିବାରୁ ଉକ୍ତ ସ୍ଥାନରେ ନୂତନ ଅଙ୍ଗନୱାଡ଼ି କୋଠା ନିର୍ମାଣ କରାଯିବା ସହ ନିକଟରେ ଏକ ଧର୍ମଶାଳା ତିଆରି କରାଯିବ ବୋଲି ଜଣାପଡିଛି । ଆଜି ଦିନ ୧୨ ଟା ସମୟରେ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଓ ଓମିନ ରଞ୍ଜିତ ପାଣିଙ୍କ ଉପସ୍ଥିତିରେ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟାଣ୍ଟ ଦୀପକ ମହାପାତ୍ରଙ୍କ ଘର ଓ ଅବସରପ୍ରାପ୍ତ ଏଫ୍‌ସି ଆଇ କର୍ମଚାରୀ ଟି ଶଙ୍କର ରାଓଙ୍କ ଘରକୁ ଭାଙ୍ଗି ଦିଆଯାଇଛି । ସେଠାରେ ବାସ କରୁଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ଯେ, କେବଳ ଦୁଇ ଦିନରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଟିଟିଲାଗଡ ପ୍ରଶାସନର ନିରୀହ ଗରିବ ଲୋକଙ୍କ ଜବର ଦଖଲ ନାମରେ ଘର ଭାଙ୍ଗିବା ଘଟଣା ସହରବାସୀଙ୍କ ବ୍ୟଥିତ କରିବା ସହ ଆକ୍ରୋଶର ମାହୋଲ ଦେଖିବାକୁ ମିଳୁଛି । ପୂର୍ବରୁ ଏହି ପରି ଜବର ଦଖଲ ଉଚ୍ଛେଦ ନାମରେ ପୁରୁଣା ବ୍ୟାଙ୍କ ଛକ ନିକଟରେ ଦୁଇଟି ଛୋଟ ଛୋଟ ଦୋକାନ ଗୁଡା ଓ ଚାଲକ ସଂଘର ଖର ଦାଉରୁ ରକ୍ଷା ପାଇବା ପାଇଁ ତିଆରି କରିଥିବା ଏକ ବଖରା ଥିବା ଆଶ୍ରୟ ସ୍ଥଳକୁ ଭାଙ୍ଗି ଦିଆଯାଇଥିବା ଘଟଣା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.