ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ୱାର୍ଡ ନଂ୮ ଅନ୍ତର୍ଗତ ବ୍ରହ୍ମଣ ପଡା, କରଙ୍ଗାକଟା ବନ୍ଧ ଆଡି ଓ ମାରୱାଡି ବନ୍ଧ ଆଡି ଅଂଚଳରେ ଜିଲ୍ଲା ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ କରାଯାଇଛି । ଏହି ପ୍ରକ୍ରିୟାରେ ଏକା ଥରକୁ ପ୍ରାୟ ୧୩୦ଟି ପରିବାର ପ୍ରଭାବିତ ହୋଇଥିବା ବେଳେ ଏ ଅଂଚଳର ଲୋକେ ଖାଦ୍ୟ, ବସ୍ତ୍ର ଓ ବାସଗୃହରୁ ବେଦଖଲ୍ ହୋଇଥିବା ଅଭିଯୋଗ କରିଛନ୍ତି । ଉଚ୍ଛେଦ ପୂର୍ବରୁ ବିସ୍ତାପିତଙ୍କୁ ସରକାର ଜମି ଓ ବାସଗୃହ ଯୋଗାଇ ଦେବାର ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ କୋଭିଡ କଟକଣା ସମୟରେ ଜିଲ୍ଲା ପ୍ରଶାସନ ଅଂଚଳବାସୀଙ୍କ ମାନବ ଅଧିକାର ହନନ କରିଛି । ଆହୁରି ଘର ଭାଙ୍ଗୁଥିବା ପ୍ରଶାସନିକ ଅଧିକାରୀଙ୍କ ପାଇଁ ବିରିଆନି ବ୍ୟବସ୍ଥା କରା ଯାଇଥିବା ବେଳେ ଜବର ଦଖଲ ଉଚ୍ଛେଦରେ ସର୍ବସ୍ୱ ହରାଇଥିବା ବସ୍ତି ବାସିନ୍ଦାଙ୍କ ପାଇଁ ପାଣି ମୁନ୍ଦିଏର ମଧ୍ୟ ବ୍ୟବସ୍ଥା କରାଯାଉ ନଥିବା ଆଲୋଚନା ହେଉଛି । ବିସ୍ତାପିତ ହେବା ପାଇଁ ଆବଶ୍ୟକ ସମୟ ନଦେଇ କରାଯାଉଥିବା ଏହି ଜବର ଦଖଲ ଉଚ୍ଛେଦ ଆମକୁ କେବଳ ଆମ କଷ୍ଟନିର୍ମିତ ବାସଗୃହରୁ ନୁହେଁ ବରଂ ଆମର ବଂଚିବାର ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହରୁ ଏକାଥରକୁ ଉଚ୍ଛେଦ କରାଯାଇଛି ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଉଚ୍ଛେଦ ଆଶଙ୍କା ପ୍ରକାଶ ପାଇବା ପରେ ବ୍ରାହ୍ମଣପଡା ବସ୍ତି ବାସିନ୍ଦା ପୌର ପରିଷଦ ଓ ଜିଲ୍ଲାପାଳ କାର୍ଯ୍ୟାଳୟର ଚକ୍କର କାଟି ଥିଲେ । ବହୁ କଷ୍ଟ ପରେ ଗତ ବୁଧବାର ଦିନ ଜିଲ୍ଲାପାଳଙ୍କୁ ଦେଖା କରି ବିସ୍ତାପନ ପାଇଁ ଅତିକମ୍ରେ ସପ୍ତାହେ କିମ୍ବା ଦୁଇ ସପ୍ତାହ ସମୟ ମାଗିଥିଲେ । ଜିଲ୍ଲାପଳ ମଧ୍ୟ ବସ୍ତି ବାସିନ୍ଦାଙ୍କୁ ଆବଶ୍ୟକ ସମୟ ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । କିନ୍ତୁ ହଠାତ୍ କ’ଣ ହେଲା କେଜାଣି, ଶୁକ୍ରବାର ସଂନ୍ଧ୍ୟାରେ ପୌର ପରିଷଦ ତରଫରୁ ଘର ଖାଲି କରିବା ନେଇ ଘୋଷଣା କରାଯାଇଥିଲା । ଆଜି ସକାଳୁ ଜିଲ୍ଲା ପ୍ରଶାସନ ସଦଳ ବଳ ଆସି ତରବରିଆ ଭାବେ ବସ୍ତି ବାସିନ୍ଦାଙ୍କ ଘର ଭଙ୍ଗା ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ଗରିବ ଖଟିଖିଆ ବସ୍ତି ବାସିନ୍ଦାଙ୍କ ଥଇଥାନର କୌଣସି ବ୍ୟବସ୍ଥା ହୋଇ ନଥିବା ବେଳେ ବସ୍ତି ବାସିନ୍ଦା ଯିବେ କୁଆଡେ, ତାହା ଏବେ ସେମାନଙ୍କ ସାମ୍ନାରେ ବିରାଟ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । କୋଭିଡ ସମୟରେ ଜନସାଧାରଣଙ୍କୁ ଘରଭଡା ଛାଡ କରିବା ପାଇଁ ଅନୁରୋଧ କରିଥିବା ମୁଖ୍ୟମନ୍ତ୍ରୀ କୋଭିଡ ନସରୁଣୁ ଗରିବ ଖଟିଖିଆଙ୍କୁ ବେଦଖଲ କରିବାକୁ ମାତିଛନ୍ତି କିପରି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ବିସ୍ତାପିତଙ୍କୁ ଥଇଥାନ ନକରାଯିବା ପର୍ଯ୍ୟନ୍ତ ଜଣେ ବି ବ୍ୟକ୍ତିଙ୍କୁ ଉଚ୍ଛେଦ କରାଯିବ ନାହିଁ । ତା’ ସତ୍ୱେ ଯଦି ସରକାର କିମ୍ବା ପ୍ରଶାସନ ଜବର ଦଖଲ ଉଚ୍ଛେଦ ଆରମ୍ଭ କରନ୍ତି, ତେବେ ମୁଁ ପ୍ରଥମେ ଘରଭଙ୍ଗା ଗାଡି ସାମନରେ ଛିଡା ହେବି ବୋଲି ବଲାଙ୍ଗିର ବିଧାୟକ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ବିନା ଥଇଥାନରେ କିପରି ସାରା ସହରରେ ଜବର ଦଖଲ ଉଚ୍ଛେଦ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଆଜି ସେହି ବିଧାୟକ କୋଉଠି ବୋଲି ବସ୍ତି ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଯଥା ଶୀଘ୍ର ବିସ୍ତାପିତଙ୍କୁ ଥଇଥାନ କରା ନଗଲେ ଆଗାମୀ ଦିନରେ ଜୋରଦାର ଅନ୍ଦୋଳନ କରାଯିବ ବୋଲି ବସ୍ତି ବାସିନ୍ଦା ପ୍ରଶାସନକୁ ତାଗିଦ କରିଛନ୍ତି । ପ୍ରକାଶ ଯେ, ଗତ କିଛି ମାସ ହେବ ସହର ପ୍ରତି ଆଖି ବନ୍ଦ କରିଥିବା ଜିଲ୍ଲା ପ୍ରଶାସନ ହଠାତ ଜାଗି ଉଠିଛି । କିଛି ମାସ ପୂର୍ବରୁ ସହରର ମୁଖ୍ୟ ଗଳି ମାନଙ୍କରେ ଜବର ଦଖଲ ଉଚ୍ଛେଦ କରାଯାଇଥିବା ବେଳେ ପରେ ପରେ ରାଜେନ୍ଦ୍ର କଲେଜ ପଛ ପଟ ସୂର୍ଯ୍ୟନଗର ଏବଂ ଆଜି କରଙ୍ଗାକଟା ଓ ମାରୱାଡି ବନ୍ଧ ଆଡି ଅଂଚଳ ଜବର ଦଖଲ ଉଚ୍ଛେଦ ଆରମ୍ଭ କରିଛି । ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଜବର ଦଖଲ ଉଚ୍ଛେଦରେ ପ୍ରଭାବିତ ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ୧୫ ଏକର ଜମି ଚିହ୍ନଟ କରାଯାଇଛି । କିନ୍ତୁ ବିଧାୟକଙ୍କ ବାରମ୍ବାର ସମୀକ୍ଷା ଓ ଅନୁରୋଧ ସତ୍ୱେ ପ୍ରଶାସନ ତରଫରୁ ସେଠାରେ ବିସ୍ତାପିତଙ୍କୁ ଥଇଥାନ କରା ଯାଉନାହିଁ ବୋଲି କୁହାଯାଇଛି । ରାଜେନ୍ଦ୍ର କଲେଜ ପଛପଟ ସୂର୍ଯ୍ୟନଗର ଉଚ୍ଛେଦ ସମୟରେ ମଧ୍ୟ ବିସ୍ତାପିତଙ୍କ ଥଇଥାନ ନହେବା ଯାଏଁ ଲୋକଙ୍କ ଖାଇବା ଓ ରହିବା ପାଇଁ ସରକାରୀ ବନ୍ଦୋବସ୍ତ କରିବା ପାଇଁ ବିଧାୟକ ପ୍ରଶାସନକୁ ତାଗିଦ କରିଥିଲେ । ଯାହା ଫଳରେ ପ୍ରଥମ କରି ଏହି ସମୟରେ ପ୍ରଶାସନ ତରଫରୁ ତିନୋଟି ସ୍କୁଲରେ ଉଚ୍ଛେଦରେ ପ୍ରଭାବିତ ଲୋକଙ୍କ ପାଇଁ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଆଜିର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନ ତରଫରୁ ଏଭଳି କୌଣସି ବ୍ୟବସ୍ଥା ଦେଖିବାକୁ ମିଳି ନଥିଲା । ଏ ବିଷୟରେ ଉପସ୍ଥିତ ଉପ ଜିଲ୍ଲାପାଳ ସୁଧାକର ନାଏକଙ୍କୁ ପଚାରା ଯିବାରୁ ସୂର୍ଯ୍ୟନଗର ଉଚ୍ଛେଦ ସମୟରେ ଲୋକଙ୍କ ଖାଇବା ବ୍ୟବସ୍ଥା କରାଯାଇଥିଲା । ଲୋକେ ନ ଆସିବାରୁ ଅନେକ ଖାଦ୍ୟ ସାମଗ୍ରୀ ନଷ୍ଟ ହେଲା । ତେଣୁ ଏ ଥରକ ଏଭଳି କୌଣସି ବ୍ୟବସ୍ଥା କରା ଯାଇନାହିଁ । ଲୋକଙ୍କ କୌଣସି ଅସୁବିଧା ନାହିଁ, ଲୋକେ ବେଶ ସହେଯାଗ କରୁଛନ୍ତି ବୋଲି ସେ ତାଙ୍କ ଉତ୍ତରରେ କହିଥିଲେ । ତେବେ ଉପ ଜିଲ୍ଲାପାଳଙ୍କ ଏହି ଉତ୍ତର ଗରିବ ଜନସାଧାରଣଙ୍କ ମାନବ ଅଧିକାର ପ୍ରତି କେତେ ଯୁକ୍ତିଯୁକ୍ତ, ତାହା ନିହାତି ବିଚାରଯୋଗ୍ୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।