ଓମିକ୍ରନ ସଂକ୍ରମଣକୁ ରୋକିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ପରତା

• ଗଞ୍ଜାମ ଜିଲ୍ଲାବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନବବର୍ଷ ୨୦୨୨ ପୂର୍ବାହ୍ନରେ ଓସ୍ୱାନ ହଲଠାରେ ଏକ ଜରୁରୀ କାଳୀନ ବୈଠକ ଆଗତ କରି ଜିଲ୍ଲାରେ କରୋନା ଜନିତ ସଂକ୍ରମଣକୁ ରୋକିବା ନେଇ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ଜଣାଇଥିଲେ । ପ୍ରାରମ୍ଭରେ ନବବର୍ଷର ପ୍ରଥମ ଦିନର ପ୍ରଥମ ବୈଠକରେ ସମସ୍ତ ଅଧିକାରୀ କର୍ମଚାରୀମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ଗଣମାଧ୍ୟମ ତଥା ଗଞ୍ଜାମ ଜିଲ୍ଲାବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ସର୍ବୋପରି କୋଭିଡ୍‌ର ପ୍ରଥମ ଲହର ଏବଂ ଦ୍ୱିତୀୟ ଲହର ସମୟରେ କିଭଳି ଗଞ୍ଜାମ ଜିଲ୍ଲାରେ ଦୃଢ଼ ମୁକାବିଲା କରାଯାଇଥିଲା ଠିକ୍‌ ସେହି ଭଳି ମୁକାବିଲା କରିବା ଦିଗରେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ମହାମାରୀରେ ଲୋକଙ୍କ କାର୍ଯ୍ୟଧାରା ଓ ସାବଧାନତା ଅବଲମ୍ବନ କରିଥିବା ଯୋଗୁଁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ସାମ୍ପ୍ରତ୍ତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଅଛି । ଏଣୁ ପୂର୍ବରୁ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଗଲେ ଓମିକ୍ରନ ଦାଉରୁ ଜିଲ୍ଲା ବାସୀଙ୍କୁ ସୁରକ୍ଷିତ କରାଯାଇପାରିବ । ଏଣୁ ଗୋଷ୍ଟୀଗତ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଠିକ୍ ପରିଚାଳନା କରିବାକୁ ହେବ । ସଚେତନତା କାର୍ୟ୍ୟକୁ ବ୍ୟାପକ କରି ଲୋକଙ୍କୁ ସଚେତନତା ଏବଂ ସମସ୍ତ ପ୍ରକାର କୋଭିଡ୍ ନିୟମର ଅନୁପାଳନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ସନ୍ଦେହ ବ୍ୟକ୍ତିଙ୍କୁ ପରିକ୍ଷା ଏବଂ ତତ୍ୱାବଧାନ ଓ ଚିକିତ୍ସା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ଗହଳିକୁ ସମ୍ପୂର୍ଣ୍ଣ ବାରଣ, ଲୋକଙ୍କ ମାସ୍କ ପରିଧାନ ବାଧ୍ୟତା କରାଯିବ, ବାହାଘର ସକାଶେ ଅନୁମତି ଗ୍ରହଣ କରିବା ସହିତ ସମସ୍ତ ପ୍ରକାର କୋଭିଡ୍ ନିୟମ ଅନୁପାଳନ ଜରୁରୀ । ଜିଲ୍ଲାରେ ଯେଉଁ ସବୁ କାର୍ୟ୍ୟ କରାଯାଉଛି ସବୁ କାର୍ୟ୍ୟରେ ଫାଇଭ-ଟି ଅନ୍ତର୍ଗତ ସମସ୍ତ କାର୍ୟ୍ୟ ଠିକ୍ ସମୟରେ ହେବା ସହିତ ଗୁଣବତ୍ତା ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ରୂପାନ୍ତରୀକରଣ କାର୍ୟ୍ୟ ଯୋଗୁଁ ସମସ୍ତ କାର୍ୟ୍ୟର ରୂପରେଖ ବଦଳୁଥିବା ପରିଲକ୍ଷିତ ହେଉଛି । ସହରାଂଚଳରେ ମୁକ୍ତା ଯୋଜନା କାର୍ୟ୍ୟକୁ ବ୍ୟାପକ କରାଯିବ । ସେହିପରି ମନରେଗାରେ ତାରା ଯୋଜନାକୁ ସଂପୃକ୍ତ କରି କାର୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ବୈଠକ ଜୁମ କିମ୍ବା ଭିସି ଦ୍ୱାରା ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ସୋମବାର ଦିନ ସ୍ୱଚ୍ଛ କାର୍ୟ୍ୟକୁ ତ୍ୱରାନ୍ନିତ କରାଯିବ । ଗାଁ କେମିତି ସଫେଇ ହେବ ସେଥିପ୍ରତି ଦୃଷ୍ଟି ଦେଇ କାର୍ୟ୍ୟ କରିବାକୁ ହେବ । ପୁଣି ମନରେଗାରେ ଜୀବନ ଜୀବିକା, ମିଶନ ଶକ୍ତି ଗୃହ ହେବା ସହିତ ମିଶନ ଶକ୍ତି ଗୃହର କାର୍ୟ୍ୟକ୍ଷମ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁକ୍ତା ଯୋଜନାରେ ସୌନ୍ଦର୍ୟ୍ୟକରଣ, ସଫେଇ, ମୋ ୱାର୍ଡ ବୈଠକ ଇତ୍ୟାଦି ବିଷୟ ନେଇ ଆଲୋଚନା କରାଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀ ଦ୍ୱାରା ଛତ୍ରପୁରଠାରେ ଯେଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି ବଟା ଦିଗରେ ପଦକ୍ଷେପ ନିଆଯାଇଛି । ଠିକ୍ ସେହିଭଳି ଅନ୍ୟ ସ୍ଥାନରେ କରିବାକୁ ଜିଲ୍ଲାପାଳ ସମସ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ଅଂଚଳରେ ରହିଥିବା ପର୍ୟ୍ୟଟନ ସ୍ଥଳୀର ଅନେକ ବିକାଶ କରାଯାଇଛି । ସେଗୁଡିକ ସଫେଇ ଓ ପରିଚାଳନା ଦିଗ ପ୍ରତି ଦୃଷ୍ଟି ଦେବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିସର ସଫେଇ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି । ମୋ- ହସ୍ପିଟାଲ ମୋ ଗର୍ବକୁ ସଂଶକ୍ତକରଣ କରିବାକୁ କହିଥିଲେ । ପାନୀୟ ଜଳର ସୁପରିଚାଳନା ଦିଗରେ ଧ୍ୟାନ ଦେବା ପାଇଁ କହିଥିଲେ । ବୈଠକରେ ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉ ସଦାହେବ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଓ ପ୍ରିୟ ରଞ୍ଜନ ପୃଷ୍ଟି, ସିଡିଏମଓ ଡାକ୍ତର ଉମା ଶଙ୍କର ମିଶ୍ର, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.