‘କୋଶଳ ପ୍ରବାହ’ର ପ୍ରଭାବ : ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ ଦେଇଥିବା ଦୁଇ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଦୁଇ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ସିଡିପିଓ ସବିତା ଦାସଙ୍କ ପରାମର୍ଶରେ ସୁପର୍‌ଭାଇଜର୍‌ ପ୍ରଭାତ ନଳିନୀ ପଣ୍ଡା ଟୁର୍ଚ୍ଚାଉପେର ଗ୍ରାମକୁ ଯାଇ ମୃତ ଶିଶୁ ଦ୍ୱୟଙ୍କ ବାପା ମା’ଙ୍କୁ ଭେଟି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ । ହେଲେ ଦୀର୍ଘ ଦିନ ହେଲା ତଦନ୍ତ କରି କାର୍ୟ୍ୟନୁଷ୍ଠାନ ନେବା ବଦଳେ ପ୍ରଶାସନ ଚୁପ ରହୁଥିଲା । ହେଲେ ଏନେଇ ଲଗାତାର ଭାବରେ ‘କୋଶଳ ପ୍ରବାହ’ରେ ଖବର ପ୍ରସାରିତ ହେବା ପରେ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଏନେଇ ବଲାଙ୍ଗିର ସିଡିଏମଓ ଡା. ଭୀମ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକ ଡାକ୍ତରୀ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।ସେମାନେ ସଇଁନ୍ତଲା ଡାକ୍ତରଖାନା ଓ ଟୁର୍ଚ୍ଚାଉପେର ଗାଁକୁ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଏହି ତଦନ୍ତରେ ବଲାଙ୍ଗିର ଏଡିପିଏଚଓ (ଏଫଡବ୍ଲୁ) ସୁଧା ବାର୍ଲା , ପିଏଚଓ ମୀନା ତ୍ରିପାଠୀ, ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ସୁବାସ ସରାଫ ସାମିଲ୍‌ ଥିବା କୁହାଯାଉଛି। ତଦନ୍ତ ବେଳେ ତାଙ୍କ ଶିଶୁ ପୁତ୍ରଙ୍କ କେଉଁ କାରଣ ମୃତ୍ୟୁ ହେଲା ଓ ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିଲା କି ବୋଲି ବିଭିନ୍ନ କଥାକୁ ନେଇ ପଚରାଉଚରା କରାଯାଇଛି । ତଦନ୍ତକାରୀ ଟିମ୍‌ ସଇଁନ୍ତଲା ଡାକ୍ତରଖାନାକୁ ପହଞ୍ଚିବା ବେଳେ ଡାକ୍ତରଖାନାର ଇନଚାର୍ଜ ଡା. ସମରେନ୍ଦ୍ର ମହାପାତ୍ର ଫେରାର୍‌ ମାରିଥିବା ଯୋଗୁଁ ଶ୍ରୀମତୀ ବାର୍ଲା ଅସନ୍ତୋଷ ପ୍ରକାଶ କରିବା ସହ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।
ପ୍ରକାଶ ଥାଉ କି, ଡାକ୍ତରଙ୍କ ଅନୁପସ୍ଥିତିରେ ଦୁଇ ଶିଶୁ ପୁତ୍ରଙ୍କୁ ନର୍ସଙ୍କ ତତ୍ତ୍ୱାବଧାନରେ ପ୍ରସବ ପରେ ଦୁଇ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏଭଳି ଘଟଣା କୁନେଇ ଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା । ଏହି ଘଟଣା ସମ୍ପର୍କରେ ତଦନ୍ତ କଲା ପରେ ଡାକ୍ତରଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ନା’ ଫାଇଲ ତଳେ ଚାପି ହୋଇଯିବ, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.