ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରୁ ବିଜୁସ୍ୱାସ୍ଥ୍ୟ କାର୍ଡ ସର୍ବତ୍ର ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ମୁଖ୍ୟମନ୍ତ୍ରୀ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ ପୀଠ ସ୍ଥଳରୁ ଶୁଭାରମ୍ଭ କରିବା ପରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ମାସ ୧୩ ତାରିଖରୁ ୧୮ ତାରିଖ ମଧ୍ୟରେ ଆନୁଷ୍ଠାନିକ ସମାରୋହରେ ପ୍ରମୁଖ ସ୍ଥାନରେ ଆଞ୍ଚଳିକ ବିଧାୟକ ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ସୋମବାର ପୂର୍ବାହ୍ନରେ ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା ଚିହ୍ନଟ ହୋଇଥିବା ଗରୀବ ହିତାଧିକାରୀ ରାଶନକାର୍ଡଧାରୀଙ୍କୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଛତ୍ରପୁର ସ୍ଥିତ ନିୟୁବସଷ୍ଟାଣ୍ଡ କୋଠା କମ୍ପ୍ଲେକ୍ସ ପରିସରରେ ଏବଂ ଛତ୍ରପୁର ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି । ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ, ଅଶୋକ କୁମାର ଚୌଧୁରୀ, ବି.ରାଜିବାବୁ, ଟି.ଚନ୍ଦ୍ରଶେଖର ରାଓ ପ୍ରମୁଖ ବିଜେଡିର ନେତ୍ତୃବର୍ଗ, ଗଣ୍ୟମାନ୍ୟ ବ୍ୟକ୍ତି ବହୁ ସ୍ବେଛାସେବୀ, ସରକାରୀ ସହାୟକ କର୍ମଚାରୀ ପ୍ରମୁଖ ଏହି ସମାରୋହରେ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସମଗ୍ର ଗଞ୍ଜାମ ଜିଲ୍ଲାରେ ୨୬ଲକ୍ଷ ୭୬ ହଜାର ଲୋକ ଏହି ସ୍ୱାସ୍ଥ୍ୟ କାର୍ଡ ସୁବିଧାର ସୁଯୋଗ ପାଇବେ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବାଧୀନତା ଦିବସ- ୨୦୨୧ ଅବସରରେ ସ୍ମାର୍ଟ ହେଲ୍‌ଥ କାର୍ଡ ସଂପର୍କରେ ଘୋଷଣା କରିଥିଲେ । ଏହାପରେ ଅଗଷ୍ଟ ୨୦ ତାରିଖରେ ସେ ମାଲକାନାଗିରି ଜିଲ୍ଲାରେ ପ୍ରଥମ କରି ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ହେଉଛି ସରକାରଙ୍କ ପ୍ରତିବଦ୍ଧତା । ଏବଂ ଏ ଦିଗରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାଟ ହେଲ୍‌ଥ କାର୍ଡ ରାଜ୍ୟବାସୀଙ୍କ ପାଇଁ ସରକାରଙ୍କର ଶ୍ରେଷ୍ଠ ଉପହାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ସୂଚାଇଥିଲେ ଯେ, ପ୍ରତିଟି ମାନବଜୀବନ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ୟ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

Leave A Reply

Your email address will not be published.

error: Content is protected !!