ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ : ୪ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ, ପରମ୍ପରା ଆଗରେ ହାର ମାନିଲା ପ୍ରଶାସନ
ବଲାଙ୍ଗିର, (କେପିଏନ୍ଏସ୍) : ପୁଣି ରକ୍ତ ରଞ୍ଜିତ ହୋଇଛି ବଲାଙ୍ଗିର ଜିଲ୍ଲା ଖଇରଗୁଡାର ଶୁଲିଆ ପୀଠ । ପଡ଼ିଲା ହଜାର ହଜାର ପଶୁ ପକ୍ଷୀଙ୍କ ବଳି । ପରମ୍ପରା ଆଗରେ ହାର ମାନିଲା ଜିଲ୍ଲା ପ୍ରଶାସନ ।ତେବେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଛି । ଆଦିବାସୀଙ୍କ ସୁଲିଆ ଯାତ୍ରାରେ ଭୋର ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭା-ଯାତ୍ରା ଅନୁଷ୍ଠିତ ହେବା ପରେ ଉପରୋକ୍ତ ସ୍ଥାନରେ କୁକୁଡ଼ା ବଳିପଡ଼ିଛି । ତେବେ ଆଜି ଏହି ଉତ୍ସବ ଫିକା ପଡ଼ିଛି । ଆଦି ସଂସ୍କୃତିର ଆଦି ପରମ୍ପରା ଆଦିବାସୀଙ୍କ ଶୁଲିଆ ଯାତ୍ରା । ଭିନ୍ନ ଏ ଯାତ୍ରାର ନୀତିନିୟମ । ଆଦିବାସୀ ପରମ୍ପରା ଅନୁଯାୟୀ ଏଠି ବଳି ଦେବାର ପ୍ରଥା ଓ ପରମ୍ପରା ରହିଛି । କନ୍ଧ ଆଦିବାସୀଙ୍କ ମତରେ ଶୁଲିଆ ବୁଢ଼ା ଏକ ମାନସିକ ଦିଅଁ । ତେଣୁ ଅନେକ ଲୋକଙ୍କର ମାନସିକ ପୂରଣ ହେଉଥିବାରୁ ଲୋକେ କୁକୁଡ଼ା, ବୋଦା, ମେଣ୍ଢା ଓ ପୋଢ଼ ଭୋଗ ଆକାରରେ ଆଣିଥାନ୍ତି । ଏପରିକି ଜିଲ୍ଲା ବାହାରରୁ ବି ଭକ୍ତଙ୍କ ସୁଅ ଛୁଟିଥାଏ । ହଜାର ହଜାର ପଶୁ ବଳିରେ ରକ୍ତରଂଜିତ ହୋଇଯାଏ ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା । କାହିଁ କେତେ ବର୍ଷରୁ ଚାଲିଆସିଛି ଆଦିବାସୀଙ୍କ ଏ ପ୍ରଥା ଓ ପରମ୍ପରା । ବିଗତ ଦିନରେ ସାଧାରଣ ଲୋକଙ୍କୁ ବଳି ବିରୋଧରେ ସଚେତନ କରିବା ପାଇଁ କିଛି କିଛି ପଦକ୍ଷେପ ନେଉଥିଲା ଜିଲ୍ଲା ପ୍ରଶାସନ । ହେଲେ ଏଥର ଖାମୋସ । କୌଣସି ଗାଁରେ ସଚେତନ କାର୍ୟ୍ୟକ୍ରମ ହୋଇନାହିଁ । ସେପଟେ ରାତିପାହିଲେ ଶୁଲିଆ ଯାତ୍ରା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ସୋମବାର ସକାଳୁ ଅସ୍ତ୍ର ପୂଜା ସରିଛି । ମଝି ରାତିରେ ନିଶି ପୂଜା ହୋଇଛି । ବଡ଼ି ଭୋରରୁ ପରମ୍ପରା ଅନୁଯାୟୀ ଶୁଲିଆ ବୁଢ଼ାକୁ ଆବାହନ କଲା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଦୁଲଦୁଲି ବାଜାର ତାଳେ ତାଳେ ଶୋଭାଯାତ୍ରାରେ ଯିବେ କନ୍ଧ ଆଦିବାସୀ । ପ୍ରଥମେ ପାଟ ବୋଦାକୁ ବଳି ଦେଲା ପରେ ଭକ୍ତ ଆଣିଥିବା ପଶୁପକ୍ଷୀଙ୍କୁ ହାଣି ଚାଲିବେ ନିୟୋଜିତ ଝାଙ୍କରମାନେ । ଆଧୁନିକ ଯୁଗରେ ଏଭଳି ଏକ ମଧ୍ୟଯୁଗୀୟ ପରମ୍ପରା ଆଜି ବି ପ୍ରତିବର୍ଷ ପାଳିତ ହୋଇଆସୁଛି । ବଳପ୍ରୟୋଗ କରି ବଳି ବନ୍ଦ କରିବା ପାଇଁ ବିଗତ ଦିନରେ ଚେଷ୍ଟା କରିଥିଲା ପ୍ରଶାସନ । କିଛିକାଂଶରେ ସଫଳ ବି ହୋଇଥିଲା । ମୁଖ୍ୟ ଶୁଲିଆ ପୀଠ ମୁଖ୍ୟପୂଜାସ୍ଥଳୀରେ କିଛି ବର୍ଷ ଧରି ବଳି ବନ୍ଦ ବି ରହିଥିଲା । ହେଲେ ନିଜ ପରମ୍ପରା ଉପରେ ହସ୍ତକ୍ଷେପ ଅଭିଯୋଗ କରି ଭାଗ ହୋଇ ଯାଇଥିଲେ ଆଦିବାସୀ । ଅନ୍ୟ ଖଳା କରି ପରମ୍ପରାକୁ ବଜାୟ ରଖିଥିଲେ । ପ୍ରଶାସନର ବାରଣ ସତ୍ତ୍ବେ ଜୋରଜବରଦସ୍ତ ବଳି ଦେଇଥିଲେ । କିଛି ସଂଗଠନର କର୍ମକର୍ତ୍ତା ଓ ଶୁଲିଆ ପୀଠର ମୁଖ୍ୟପୂଜକ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ମତରେ କାହାରି ପରମ୍ପରାରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ।