ସର୍ଗୁଲ ଗ୍ରାମରେ ଫସଲ ଖାଇଦେବାରୁ ଗାଈ ଚରାଳି କାଳିଆ କଳେତଙ୍କୁ ପିଟିପିଟି ହତ୍ୟା

  • ଗ୍ରାମର ୬୫ ବର୍ଷୀୟ ବୃଦ୍ଧ କୁଲୁତ ଭୋଇ(ବୁଡୁ) କୋର୍ଟ ଚାଲାଣ
  • ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ ସର୍ଗୁଲ ଗ୍ରାମରେ ଗତକାଲି ଅପରାହ୍ନରେ ଅଭାବନୀୟ ଘଟଣାକ୍ରମରେ ଏକ ହତ୍ୟାକାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଥିଲା । ଫସଲ ଗାଈଗୋରୁ ଖାଇ ଦେବାକୁ କେନ୍ଦ୍ର କରି ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କୁ ଆଉ ଜଣେ ୬୫ବର୍ଷୀୟ ବୃଦ୍ଧ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସର୍ଗୁଲ ଗ୍ରାମର କୁଲୁତ ଓରଫ ବୁଡୁ ଭୋଇ(୬୫) ନାମକ ଜଣେ ବୃଦ୍ଧଙ୍କ ଚାଷ କରିଥିବା ଫସଲକୁ ଗ୍ରାମର କାଳିଆ କଲେତ(୫୦)ଙ୍କ ଗାଈଗୋରୁ ଖାଇ ଦେଇଥିବା ଅଭିଯୋଗ କରି ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ଉତ୍ତ୍ୟକ୍ତ କୁଳୁତ ନିଜ ଚାଷ ଜମିରେ ହିଁ କାଳିଆଙ୍କୁ ପିଟିପିଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଅତ୍ୟନ୍ତ ଗରିବ ମୃତ କାଳିଆଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଜଣେ ବିବାହିତା ଝିଅ ଥିବା ଜଣାପଡିଛି । ଖବର ପାଇ ମୁରିବାହାଲ ଥାନା ପୁଲିସ ସହ କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଘଟଣାସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲେ । ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୋଲିସ କୁଲୁତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଥିଲା । ସାମାନ୍ୟ ଫସଲ ଖାଇବାକୁ କେନ୍ଦ୍ର କରି ଜଣେ ୫୦ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କୁ ଆଉ ଜଣେ ୬୫ବର୍ଷୀୟ ବୃଦ୍ଧ ପିଟିପିଟି ମାରିଦେଇଥିବା ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା । ଆଜି ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲେ । ପୁଲିସ୍ ଶବ ଜବତ କରି କଣ୍ଟାବାଞ୍ଜି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମୃତକଙ୍କ ଦେହରେ କୌଣସି ଦାଗ ଲାଗିନଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି । ଏ ନେଇ ପୁଲିସ କେଶ ନଂ ୩୪୫/୨୩ ରୁଜ୍ଜୁ କରି ଅଧିକ ତଦନ୍ତ ପରେ ଅଟକ ବୃଦ୍ଧ କୁଲୁତ ଓରଫ ବୁଡୁ ଭୋଇଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ସବଇନ୍ସେକ୍ଟର ପ୍ରମୋଦ କୁମାର ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.