om academy

ପାଣି ସମସ୍ୟାକୁ ନେଇ ଗରିବ ସେନାର ସର୍ବଦଳୀୟ ବୈଠକ

jsm

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିଥିବା ବେଳେ ସାଧାରଣ ଜନତା ଅତିଷ୍ଠ ହୋଇପଡିଲେଣି । ତେବେ ସ୍ଥାନୀୟ ପ୍ରଶାସନ ପାନୀୟ ଜଳ ସମସ୍ୟାର ସମାଧାନରେ ବିଫଳ ଥିବା ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି । ଶେଷ ଥର ପାଇଁ ଗତ ୧୨ ମାର୍ଚ୍ଚରେ ଉପଜିଲାପାଳ ବିଭିନ୍ନ ସଙ୍ଗଠନ, ସ୍ଵେଚ୍ଛାସେବୀ, ସ୍ଥାନୀୟ ନାଗରିକଙ୍କ ସହ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ କରିଥିଲେ । ଉକ୍ତ ବୈଠକକୁ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ନେଇ ସମସ୍ୟା ଯେ ଆଗକୁ ଅତ୍ୟନ୍ତ ଜଟିଳ ରୂପ ଧାରଣ କରିବ ବୋଲି ବୁଦ୍ଧିଜୀବୀଙ୍କ ଅନୁମାନ ବର୍ତ୍ତମାନ ସତ ହୋଇଛି । ସାତ ଆଠ ଦିନରେ ଥରେ ସହରର ବିଭିନ୍ନ ୱାର୍ଡ ବସ୍ତିକୁ ଜଳଯୋଗାଣ ହେଉଛି । ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଚାଲିଥିଲେ ମଧ୍ୟ ଲୋକଙ୍କ ଅଭାବ ପୂରଣ କରିବାରେ ପ୍ରଶାସନ ବିଫଳ ହୋଇଛି । ଏ ନେଇ ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଇଁ ବିଜେପି ଯୁବ ମୋର୍ଚ୍ଚା ଆହ୍ବାନ କରିଛି । ପାନୀୟ ଜଳ ଭଳି ମୌଳିକ ସୁବିଧା ପ୍ରଦାନରେ ପ୍ରଶାସନର ନିରବତା ବିରୁଦ୍ଧରେ ସାଧାରଣ ଜନତା ଆନ୍ଦୋଳନକୁ ସହଯୋଗ କରିବାକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଆହ୍ବାନରେ ଆଜି ସାରା ସହର ବନ୍ଦ ଥିଲା । ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ପିକେଟିଙ୍ଗ କରି ସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କ୍ ବନ୍ଦ କରିବା ସହ ଉଠା ଦୋକାନୀ ମାନଙ୍କୁ ବନ୍ଦ କରାଇଥିଲେ । ଅପରପକ୍ଷରେ ଗରିବ ସେନା ପକ୍ଷରୁ ରବିବାର ସନ୍ଧ୍ୟାରେ ସଭାପତି ବିରେନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଲା ଠାରେ ଏକ ସର୍ବଦଳୀୟ ବୈଠକରେ ଆନ୍ଦୋଳନ ଚେତାବନ ଦିଆଯାଇଛି । ବୈଠକରେ ବରିଷ୍ଠ କଂଗ୍ରେସ ନେତା ରାଜୁ ମିଶ୍ର, ବିଜେପି ନେତା କୁନା ଭାଟି ଯୋଗଦେଇ ଟିଟିଲାଗଡ଼ବାସୀ ଏକ ହୋଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଆହ୍ବାନ କରିଥିଲେ । ଟିଟିଲାଗଡ଼ ଓକିଲ ସଂଘ ସମ୍ପାଦକ ମହେଶ ମହାନ୍ତି ପ୍ରଶାସନ ପାନୀୟ ଜଳ ଯୋଗାଣ ସୁବ୍ୟବସ୍ଥା ପାଇଁ କଣ ପଦକ୍ଷେପ ନେଇଛି ଗୋପନ ନ ରଖି ଗଣମାଧ୍ୟମ ଜରିଆରେ ସହରବାସୀଙ୍କୁ ଆଶ୍ୱସ୍ତ କରୁ ବୋଲି ଦାବୀ କରିଛନ୍ତି । ନାରୀ ଶକ୍ତି ଅଧ୍ୟକ୍ଷା ଅଞ୍ଜଳି ବେହେରା, କଂଗ୍ରେସ ନେତା ଦେବାନନ୍ଦ ସାହୁ, ବିଜେପି ଯୁବ ନେତା ଅଶୋକ ଭୋଇ, ପର୍ଶୁରାମ ପାଣିଗ୍ରାହୀ ପ୍ରମୁଖ ବୈଠକରେ ନିଜ ମତାମତ ପ୍ରଦାନ କରିଥିଲେ । ଦିନେ ଦୁଇ ଦିନ ମଧ୍ୟରେ ମନ୍ତ୍ରୀ ଟୁକୁନୀ ସାହୁ ଟିଟିଲାଗଡ଼ ପହଞ୍ଚିଥିବା ବେଳେ ସମସ୍ତ ରାଜନୈତିକ ଦଳ ପ୍ରତିନିଧି ତଥା ନାଗରିକଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ବାର୍ତ୍ତା ପଠାଇଥିବା ବିଜେଡି ନେତା ପ୍ରମୋଦ ପ୍ରଧାନ ଆଶ୍ୱସ୍ତ କରିଥିଲେ । ଏ ନେଇ ଆସନ୍ତା କିଛି ଦିନ ପାଇଁ ଆନ୍ଦୋଳନକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଥିବା ଗରିବ ସେନା ସଭାପତି ଶ୍ରୀ ବାଗ ଗଣମାଧ୍ୟମକୁ ଜଣାଇଛନ୍ତି । ଶେଷରେ ସଂଗଠନର ସମ୍ପାଦକ ଯୁଗି ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.