centurian jitm

ସରକାରୀ ଜମି ଜବର ଦଖଲ : ସ୍ଥାନୀୟ ପ୍ରଶାସନ ଆଖିବୁଜି ନୀରବଦ୍ରଷ୍ଟା ସାଜିଛି

nschool

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ସଦର ମହକୁମା ବିଜ୍ଞାପିତ ଅଂଚଳ ପରିଷଦ ଅଧୀନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତ୍ତମାନ ବନ୍ଧ ହିଡକୁ ଲାଗି ରହିଥିବା ସରକାରୀ ଜମି ଉପରେ ଏବେ କିଛି ଅସାଧୁ ବ୍ୟକ୍ତି ବେଆଇନ ଆଧିପତ୍ୟ ବିସ୍ତାର କରିବାରେ ଲାଗି ପଡିଛନ୍ତି । ବ୍ରାହ୍ମଣୀ ବନ୍ଧର ପୂର୍ବ ଦିଗକୁ ସର୍ବ ସାଧାରଣ ରାସ୍ତା ମେଜର ବନ୍ଦୋବସ୍ତ ଖାତା ନଂ.୧୩୧୯ ପ୍ଲଟ ନଂ.୧୬୪୨ରୁ ରକବା ୦.୧/୨ ଡିସମିଲ ଏବଂ ପ୍ଲଟ ନଂ.୧୬୪୩ ରୁ ରକବା ୦.୦୩ ଡି. ସଡକ ମୋଟ ରକବା ୦.୩ ୧/୨ ଡି. ଜମିକୁ କେତେ ଜଣ ବ୍ୟକ୍ତି ଜବର ଦଖଲ କରିଛନ୍ତି । ଏ ନେଇ ସରକାରୀ କର୍ତୃପକ୍ଷଙ୍କୁ ଅଭିଯୋଗ ମଧ୍ୟ କରାଯାଇଥିଲା । ଏହି ଅଭିଯୋଗକୁ କର୍ଣ୍ଣପାତ କରାଯାଉନାହିଁ । ତାହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ଷା ଦିନରେ ବନ୍ଧ ଆଖପାଖରେ ଥିବା ଘରଗୁଡିକ ପାଣି ଘେରରେ ରହୁଛି । ଯାହାଫଳରେ ବନ୍ଧର ମଇଳା ପାଣି ଏବଂ ଡ୍ରେନ ପାଣି ଘର ଭିତରକୁ ପଶି ଲୋକେ ବହୁ ପ୍ରକାର ହଇରାଣ ହେଉଛନ୍ତି । ଯଦି ଏହି ବନ୍ଧର ସରକାରୀ ଜମି ଜବରଦଖଲ ଉଚ୍ଛେଦ ହେବ, ତାହେଲେ ଏ ରାସ୍ତା ଦେଇ ସାପ୍ତାହିକ ଓ ଦୈନନ୍ଦିନ ବଜାର, ଡାକ୍ତରଖାନା, ଡାକଘର, କଚେରୀ ଓ ବାଳକ ବିଦ୍ୟାଳୟକୁ ତଥା ପଦ୍ମପୁରରୁ ଯାଇଥିବା ବରଗଡ ମୁଖ୍ୟରାସ୍ତାକୁ ଲୋକେ ସହଜରେ ଅଳ୍ପ ସମୟ ମଧ୍ୟରେ ଯାତାୟତ କରିପାରିବେ । ବିଶେଷ କରି ମହିଳା, ନାବାଳକ, ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ସୁବିଧା ହେବ । ଏ ନେଇ ଅଂଚଳବାସୀ ତଥା ବୁଦ୍ଧିଜୀବୀମାନେ ତା ୨୩.୦୫.୨୦୧୭ ତତ୍କାଳୀନ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଏବଂ ତତ୍କାଳୀନ ଉପଜିଲ୍ଲାପାଳଙ୍କ ଆଦେଶ କ୍ରମେ ତହସିଲଦାର ପଦ୍ମପୁର ଏବଂ ରାଜସ୍ୱ ନିରିକ୍ଷକ ପଦ୍ମପୁର ସୀମା ନିର୍ଦ୍ଧାରଣ ରିପୋର୍ଟ ଦେଇ ସାରିଥିବା ସ୍ଥଳେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ସରକାରୀ ଜମିକୁ ଜବରଦଖଲକାରୀ ମାନେ ଆରାମରେ ନିଜ ନିଜ ବାସଗୃହ ନିର୍ମାଣ କରି ଚାଲିଛନ୍ତି। ଏହି ବିଷୟରେ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର କାର୍ୟ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁଙ୍କ ମତାମତ ନିଆଯିବାରୁ ସେ ଏହି ସମସ୍ତ ବିଷୟରେ ଉପଜିଲ୍ଲାପାଳ ପଦ୍ମପୁରଙ୍କ ସହିତ ଆଲୋଚନା କରି ଯଥୋଚିତ ପଦକ୍ଷେପ ନେଇ ଏହି ସ୍ଥାନର ପୁନରୁଦ୍ଧାର ଓ ସୈାନ୍ଦର୍ୟ୍ୟକରଣ ପ୍ରତି ଧ୍ୟାନ ଦେବେ ବୋଲି ଜଣାଇଛନ୍ତି। । ଯଦି ଏହି ବ୍ରାହ୍ମଣୀବନ୍ଧର ନିର୍ମାଣ ହୁଏ, ତାହେଲେ ଯାତାୟତ ତଥା ଅଂଚଳବାସୀ ଏହାର ଲାଭ ଉଠାଇ ପାରିବେ ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.