ସଂସ୍କୃତି ମନ୍ତ୍ରୀଙ୍କ ମଠ, ମନ୍ଦିର ଆଦି ଐତିହ୍ୟସ୍ଥଳୀ ପରିଦର୍ଶନ : ପର୍ଯ୍ୟଟନସ୍ଥଳୀ ମାନ୍ୟତା, ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ସାଉରିଆ ଓ ଘନିପୁର ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ମଠ, ମନ୍ଦିର, ପୁଷ୍କରିଣୀ ଆଦି ପ୍ରାଚୀନ ଐତିହ୍ୟସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ତଥା ଭିତ୍ତିଭୂମି ବିକାଶ କରିବା ସହ ଏଠାରେ ଏକ ପର୍ଯ୍ୟଟନସ୍ଥଳୀ ହବ୍‌ (ଟୁରିଷ୍ଟ୍‌ ହବ୍‌) ନିର୍ମାଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସବୁ ପ୍ରାଚୀନ ଧର୍ମପୀଠ ପରିଦର୍ଶନ କରିଛନ୍ତି । ଏଠାରେ ଅବସ୍ଥିତ ରାଜରାଜୁଡା ଅମଳର ପ୍ରସିଦ୍ଧ ବଣିବକ୍ରେଶ୍ୱର ଦେବଙ୍କ ମନ୍ଦିର, ୮୪ ଏକର ପରିମିତ ତରା ପୁଷ୍କରିଣୀ (ମିନିହ୍ରଦ), ରାଧାମୋହନ ଓ ରାଧାକାନ୍ତ ଦେବ ମଠ, ପ୍ରାଚୀନ ସୋମନାଥ ମନ୍ଦିର ଓ ୪୦ ବର୍ଷର ପୁରାତନ ଶ୍ରୀରାମ ଯଜ୍ଞାଶ୍ରମକୁ ମନ୍ତ୍ରୀ ବୁଲି ଦେଖିବା ସହ ଏହିସବୁ ଐତିହ୍ୟସ୍ଥଳୀର କିଭଳି ଭିତ୍ତିଭୂମି ବିକାଶ ହୋଇପାରିବ ସେ ସଂପର୍କରେ ସ୍ଥାନୀୟ ଗ୍ରାମବାସୀ ତଥା ବୁଦ୍ଧିଜୀବୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଉପନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏକ ପ୍ରତିନିଧିଦଳ ମନ୍ତ୍ରୀଙ୍କୁ ଭେଟି ଏହିସବୁ ପ୍ରାଚୀନ ଐତିହ୍ୟସ୍ଥଳୀର ବହୁବିଧ ଉନ୍ନୟନ ପ୍ରସଙ୍ଗରେ ସବିଶେଷ ଆଲୋଚନା କରିବା ସହ ଆନୁସଙ୍ଗିକ ଯୋଜନାମାନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା । ଏପରିକି ବେରବୋଇ ଗାନ୍ଧିପୀଠ, ବେନୁପଡ଼ା ଗାଦିବ୍ରହ୍ମ ପୀଠ, ଗଡ଼କାଳୁପଡ଼ା ପାହାଡ଼ ଶୀର୍ଷ ବିଶ୍ୱନାଥ ଦେବ ମନ୍ଦିର, ଅରାଗଡ଼ ବୌଦ୍ଧସ୍ତୁପ, କୁଆପଦା ବଣିବକ୍ରେଶ୍ୱର ପୀଠ, ପ୍ରାଚୀନ ତରା ପୁଷ୍କରିଣୀକୁ ନେଇ ଏକ ପର୍ଯ୍ୟଟନ ହବ୍‌ ନିମାଣ କରାଗଲେ ଅନେକ ପର୍ଯ୍ୟଟକମାନଙ୍କର ଆଗମନ ହୋଇପାରିବା ସହ ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରସ୍ତାବ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଲୋକଙ୍କ ଆବେଗ ତଥା ଧର୍ମୀୟ ଭାବନାକୁ ଗୁରୁତ୍ୱ ଦେଇ ସମସ୍ତ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସମୟୋପଯୋଗୀ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟ, ଘୋରଡ଼ିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ, ଘୋରଡ଼ିଆ-ଲୁହାଗଡ଼ ରାସ୍ତା, ବାରବାଟି ଶ୍ରୀରାମ ଯଜ୍ଞାଶ୍ରମ ଓ ବାରଗାଡ଼ିଆ ପୁଷ୍କରିଣୀର ପୁନରୁଦ୍ଧାର ଓ ବିକାଶ ପାଇଁ ବରିଷ୍ଠ ନାଗରିକ ମହେନ୍ଦ୍ର ଶ୍ରୀଚନ୍ଦନଙ୍କ ଦ୍ୱାରା ଆଗତ ପ୍ରସ୍ତାବ ସଂପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ସହ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସ୍ୱାଧୀନ ସେବା ସଂସ୍ଥାନ ଟ୍ରଷ୍ଟ ପ୍ରତିଷ୍ଠାତା ଶଶି ଶେଖର ରାୟ, ସାଉରିଆ ସମିତି ସଭ୍ୟ ଦୁଷ୍ମନ୍ତ ପାଟ୍ଟଶାଣୀ, ବରିଷ୍ଠ ନାଗରିକ ପ୍ରହଲ୍ଲାଦ ବଳିୟାରସିଂହ, ସାମାଜିକ କର୍ମୀ ରମେଶ ପାଟ୍ଟଶାଣୀ, ଯୋଗେଶ୍ୱର ପାତ୍ର, ଚିତ୍ରସେନ ନିଶଙ୍କ, ପ୍ରକାଶ ଚନ୍ଦ୍ର ପାତ୍ର, ନିଳେନ୍ଦ୍ର ଜେନା, ଓକିଲ ଜେନା, ଗଙ୍ଗାଧର ନିଶଙ୍କ, ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ, ସଞ୍ଜୟ କେଦମାସିଂହ ଓ ମହନ୍ତ ନିଶଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.