ଚଳିତ ବର୍ଷ ବଲାଙ୍ଗିର-ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ : ରେଳ ଉପଭୋକ୍ତା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ସଭାପତି ଧର୍ମବ୍ରତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଛୁପାଲି -ବଲାଙ୍ଗିର ମଧ୍ୟରେ ଚାଲୁଥିବା ଟ୍ରେନ ଆଗାମୀ ଦିନରେ ଏକ୍ସପ୍ରେସ ଟ୍ରେନ ହେବାର ପ୍ରାପ୍ତ ସୂଚନାକୁ ନେଇ ସଭାରେ ଆନନ୍ଦ ପ୍ରକାଶ ପାଇଥିଲା । ଏହି ସଭାରେ ବଲାଙ୍ଗିର ଜନସାଧାରଣଙ୍କ ପାଇଁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିବା, ସମ୍ବଲପୁର-ଜାମ୍ବୁତାବି ଟ୍ରେନକୁ ଟିଟିଲାଗଡ ରେଲୱେ ଜଙ୍କସନ ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ଖୋର୍ଦ୍ଧା-ବଲାଙ୍ଗିର ରେଳପଥର କାର୍ଯ୍ୟ ତ୍ୱରାନ୍ୱିତ କରି ଚଳିତ ବର୍ଷ ବଲାଙ୍ଗିର ସୋନପୁର ରେଳ ଚଳାଚଳ ଆରମ୍ଭ କରିବା ତଥା ବଲାଙ୍ଗିର, ଟିଟିଲାଗଡ, କଣ୍ଟାବାଞ୍ଜି ରେଳ ଷ୍ଟେସନମାନଙ୍କ ଉନ୍ନତିକରଣ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ସଭାରେ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଂପାଦକ ଗୋପବନ୍ଧୁ ପୁରୋହିତ, ସହ-ସଂପାଦକ ପ୍ରଭାକର ରଥ, ସଂଘର ପ୍ରବକ୍ତା ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ବୃନ୍ଦାବନ ବରାଳ, ପ୍ରସନ୍ନ କୁମାର ମିଶ୍ର ତଥା ସଭ୍ୟ ଗୋବିନ୍ଦ ମିଶ୍ର ଓ ହରେକୃଷ୍ଣ ପଟେଲ ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.