ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ବର୍ଷ ତଳେ କୋଶଲୀ ଭାଷାରେ ନିର୍ମିତ ହୋଇଥିଲା ଏକ ପୁର୍ଣ୍ଣାଙ୍ଗ ଚଳଚିତ୍ର ସମିଆର ଖେଲ୍ । ବର୍ତ୍ତମାନ ୟୁଟ୍ୟୁବ୍ର ବହୁଳ ବ୍ୟବହାର ଓ ଲୋକପ୍ରିୟତାକୁ ଆଖିଆଗରେ ରଖି ଏହି ଚଳଚିତ୍ରକୁ ନୁଆ କରି ୟୁଟ୍ୟୁବରେ ରିଲିଜ୍ କରାଯାଇଛି । ଛତିଶଗଡି ଓ ପଶ୍ଚିମ ଓଡିଶାର କଳାକାର ତଥା ସଙ୍ଗିତର ମିଶ୍ରଣରେ ଏହି ଚଳଚିତ୍ରକୁ ପ୍ରଜୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ କ୍ଷମାନିଧି ମିଶ୍ର । ପଶ୍ଚିମ ଓଡିଶାର ସାଂସ୍କୃତିକ ବିଭବ, ପରମ୍ପରା ଓ ସଂଙ୍ଗିତ ସୁନ୍ଦର ଭାବରେ ଏହି ଚଳଚିତ୍ରରେ ପ୍ରଦର୍ଶିତ । ପଶ୍ଚିମ ଓଡିଶାର କମେଡି କିଙ୍ଗ୍ ବଇରାଗୀ ଦୀପଙ୍କ ଅଭିନିତ ଏହି ଚଳଚିତ୍ର ତାଙ୍କର ଜୀବନର ଅନ୍ତିମ ଚଳଚିତ୍ର । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ପଦ୍ମଶ୍ରୀ ଅନୁପ ଶର୍ମା, ରୁକୁ ସୁନା, ବ୍ରହ୍ମାନନ୍ଦ ବନ୍ଛୋର, ଶ୍ରୀକାନ୍ତ ଦାଶ, ମୋନା ସେନ୍ ଓ ନିର୍ଦ୍ଦେଶକ କ୍ଷମାନିଧି ମିଶ୍ର ନିଜେ ଅଭିନୟ କରିଛନ୍ତି । ପଙ୍କଜ ଜାଲ, ରୁକୁ ସୁନା, ଗଗନ ବାଗ, ମହମ୍ମଦ ସାଜିଦ, ପମି, ମୁକ୍ତା, ମାନି, ଗୀତ ଗାଇଥିବା ବେଳେ, ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ଦାଶ । ଆଜି ସାମ୍ବାଦିକ ଭବନଠାରେ ଏକ ସୀମିତ ସମାବେଶରେ ଏହି ଚଳଚିତ୍ରକୁ ୟୁଟ୍ୟୁବରେ ରିଲିଜ କରିବା ବେଳେ ମଂଚାସୀନ ହୋଇଥିଲେ ମୁଖ୍ୟଅତିଥି ଓଡିଶା ପର୍ୟ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଓ ନିର୍ଦ୍ଦେଶକ କ୍ଷମାନିଧି ମିଶ୍ର । ଶ୍ରୀମତୀ ମିଶ୍ର ନିଜ ବକ୍ତବ୍ୟରେ ଏପରି ଆଂଚଳିକ ସାଂସ୍କୃତିକ ଭିତ୍ତିଭୁମିଥିବା ଚଳଚିତ୍ରର ବହୁଳ ପ୍ରସାର ଆମ ଅଂଚଳର ସାଂସ୍କୃତିକ ଚେତନାକୁ ପରିବର୍ଦ୍ଧିତ କରିବ ବୋଲି କହିଥିଲେ । ସମାରୋହକୁ ମୁରଲିଧାରୀ ପତି ସଂଯୋଜନା କରିଥିବା ବେଳେ ଶ୍ରୀକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।