
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ ଯୋଗଦେଇଥିଲେ । ବକ୍ତା ଭାବେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସୁସ୍ମିତା ଭୋଇ, ସରକାରୀ ମହାବିଦ୍ୟାଳୟର ସହାୟକ ଅଧ୍ୟାପକ ନୂତନ ଖମାରୀ ବକ୍ତା ଭାବେ ଯୋଗଦେଇଥିଲେ । ଉପସ୍ଥିତ ଅତିଥିମାନେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମହାନ୍ ଅବଦାନ ଉପରେ ଆଲୋକପାତ କରିଥିଲେ । ସେହିଭଳି ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଶିକ୍ଷାର ଉନ୍ନତି କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା । ଶିକ୍ଷାକ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ ରହିଛି । ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସାହୁ କହିଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଥିଲେ ନୂତନ ଓଡ଼ିଶା ନିର୍ମାଣର ବିନ୍ଧାଣୀ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସେ ଅନେକ ସଂଘର୍ଷ କରିଥିଲେ । ଆହୁରି ମଧ୍ୟ କହିଥିଲେ ଯେ ଗୋଲ ଟେବୁଲ୍ ବୈଠକରେ ଯୋଗଦେଇ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦାବି ରଖିଥିଲେ । ବକ୍ତା ଶ୍ରୀମତୀ ଭୋଇ ଏବଂ ଶ୍ରୀ ଖମାରୀ ମହାରାଜାଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କର ଜୀବନ ଦର୍ଶନ ଏବଂ ଓଡ଼ିଶା ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ଏଭଳି ମହାନ୍ ବ୍ୟକ୍ତିତ୍ଵ ଚିର ନମସ୍ୟ ଏବଂ ତାଙ୍କର ଏହି ମହାନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବକ୍ତାମାନେ ଆହ୍ଵାନ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶେଷଦେବ ନନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଡିଆଇଓ, ଏନ୍ଆଇସି, ଶ୍ରୀ କାନ୍ଦ୍ରା ହେମ୍ବ୍ରମ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।