ବେଙ୍ଗାଲୁରୁରେ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ସତସଂଘ ପ୍ରତିଷ୍ଠାନର ୩ୟ ବାର୍ଷିକ ଉତ୍ସବ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଙ୍ଗାଲୁରୁ ଠାରେ ପ୍ରତିଷ୍ଠିତ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ସତସଂଘ ପ୍ରତିଷ୍ଠାନର ୩ୟ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା ତିଥିରେ ବେଙ୍ଗାଲୁରୁ ମହାନଗରୀର ମହାବୀର କ୍ୟାଲେକ୍ସି (ବି.ଟି.ଏମ୍. ଷ୍ଟେଜ୍ ସି.ଏମ୍.ଆର୍ ରୋଡ଼) ଠାରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଆଶ୍ରମ ପୁରୀ ଜିଲ୍ଲାର ଶାନ୍ତିଆନନ୍ଦାଶ୍ରମ, କରମଳାର ବରିଷ୍ଠ ସନ୍ଥ ସନ୍ୟାସୀ ପୂଜ୍ୟପାଦ ବାବାଜୀ ସଦାନନ୍ଦ ଦାସ ମହାରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ ଉତ୍ସବରେ ପୂଜ୍ୟପାଦ ବାବାଜୀ ନୀଳମଣି ଦାସ ମହାରାଜ, ପୂଜ୍ୟପାଦ ବାବାଜୀ ପରମେଶ୍ୱର ଦାସ ମହାରାଜଙ୍କ ଉପସ୍ଥିତରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ସମାରୋହ ପରିଚାଳିତ ହୋଇଥିଲା । ସତସଂଘ ସାମାରୋହରେ ଶହସ୍ରାଧିକ ଭକ୍ତଗୋଷ୍ଠୀ ଯୋଗଦେଇ ହରିନାମ ସଂକୀର୍ତ୍ତନ, ଷୋଡଶ ପୂଜାର୍ଚ୍ଚନା, ଗୁରୁ-ପାଦୁକାପୂଜା, ଜପ, ଆରାଧନା, ଶ୍ରୀ ଜଗନ୍ନାଥଙ୍କ ମହିମା ଗାନ ସହ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭଜନ କୀର୍ତ୍ତନ, ସତସଂଘ ସାମାରୋହ ଆଦି ଅନୁଷ୍ଠିତ ହୋଇଥିଲା । ବାବାଜୀ ସଦାନନ୍ଦ ଦାସ, ବାବାଜୀ ନୀଳମଣି ଦାସ, ବାବାଜୀ ପରମେଶ୍ୱର ଦାସ ପ୍ରମୁଖ ଯୋଗଦେଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସତ୍ୟସନାତନ ଧର୍ମର ମହତ୍ତ୍ୱ ଉପରେ ପ୍ରତିପାଦିତ କରିଥିଲେ । ପ୍ରବାସୀ ଓଡ଼ିଶାରୁ ଯାଇ ନିଜସ୍ଵ କର୍ମକ୍ଷେତ୍ରରେ ନିୟୋଜିତ ହୋଇଥିବା ଗୁରୁ, ଭାଇ, ଭଉଣୀ, ମା’ମାନଙ୍କ ସକ୍ରିୟ ସହଯୋଗରେ ଏହି ଆଧ୍ୟାତ୍ମିକ ସାମାରୋହ ସମ୍ପାଦିତ ହୋଇଥିଲା । ପ୍ରକାଶ ଥାଉକି, ପରମ ପ୍ରେମମୟ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଓଡିଶାର ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟସ୍ଥ ସୁଦୂର ଏକ ଅଖ୍ୟାତପଲ୍ଲୀ କରମଳା ଗ୍ରାମରେ ଭଗବାନଙ୍କ ୩୧ତମ ଅବତାରୀ ପୁରୁଷ ରୂପେ ୧୯୦୪ ମସିହା ଜାନୁଆରୀ ୧୮ ତାରିଖ ସୋମବାର, ତ୍ରିବେଣୀ ଅମାବାସ୍ୟା ତିଥିରେ ଆବିର୍ଭାବ ହୋଇଥିଲେ । ଓଡ଼ିଶା ବାହାରେ ତଥା ଭାରତ ବର୍ଷରେ ଏପରିକି ଦେଶ ବିଦେଶରେ ମଧ୍ୟ ପ୍ରବାସୀ ଓଡ଼ିଆ ଭକ୍ତ ଗୋଷ୍ଠୀଙ୍କ ଉଦ୍ୟମରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଆଶ୍ରମ ସଂଗଠନ ପ୍ରତିଷ୍ଠା ସମ୍ଭବ ହୋଇ ଠାକୁରଙ୍କ ମହିମା ଗାନ ପ୍ରଚାରିତ ହୋଇଆସିଛି । ଏହି କ୍ରମେ ଉତ୍କଳୀୟ ଧର୍ମଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଓଡ଼ିଆ ଆଧ୍ୟାତ୍ମିକ ସଂଗଠନ ବେଙ୍ଗାଲୁରୁ ଠାରେ ଗତ ତା. ୦୮-୦୮-୨୦୨୧ରେ ସ୍ଥାପନ ହୋଇଯାଇଛି । ଏଠାରୁ ଶ୍ରୀ ଅଭିରାମଙ୍କ ସତ୍ୟ ସନାତନ ଧର୍ମ ବାଣୀ ପ୍ରଚାରିତ ହେଉଥିବା ଅଦ୍ଭୂତମୟ ବିଷୟ ହୋଇଛି । ଅଭିରାମ ପରମହଂସ ଦେବଙ୍କ ଏକ ମନ୍ଦିର ମଧ୍ୟ ବେଙ୍ଗାଲୁରୁରେ ପ୍ରତିଷ୍ଠା ଲାଭ ହୋଇ ସତ୍ୟ ସନାତନ ଧର୍ମ ତଥା ଓଡ଼ିଆ ଭକ୍ତିବାଦର ସଂଗଠନକୁ ଖୁବ୍ ରୁଦ୍ଧିମନ୍ତ କରିଛି ।

Leave A Reply

Your email address will not be published.