ସାଲେଭଟା ଆବାସ ଯୋଜନାର ଘରଭଙ୍ଗା ଘଟଣା : ଜେଲ ଗଲେ ଅଭିଯୁକ୍ତ ସରପଞ୍ଚ ଓ ତାଙ୍କ ସ୍ୱାମୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଂଗୀର ଜିଲ୍ଲା ଲୋଇସିଂହା ଥାନା ଅଧୀନ ସାଲେଭଟା ପଂଚାୟତର ଗାଇଖାଇ କେନାଲ ନିକଟରେ କେତେକ ଶବର ସମ୍ପ୍ରଦାୟ ପରିବାର ପ୍ରଶାସନର ଅନୁମତି କ୍ରମେ ସରକାରୀ ଜଙ୍ଗଲ ଜମିରେ ଆବାସ ଯୋଜନାରେ ଘର ତିଆରି କରିଥିଲେ । ଘର ବାବଦ ଦୁଇଟି କିସ୍ତିର ଟଙ୍କା ମଧ୍ୟ ସେମାନେ ପାଇ ସାରିଥିଲେ । ତେବେ ସାଲେଭଟା ସରପଞ୍ଚ ହେମକାନ୍ତି ମୁଣ୍ଡା ଗତ ୧୧ ତାରିଖ ଦିନ ନିଜର କିଛି ସମର୍ଥକଙ୍କୁ ଧରି ସେଠାରେ ପହଂଚିବା ସହିତ ଜେସିବି ଦ୍ୱାରା ଘରଗୁଡିକୁ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ ।

ସରକାରଙ୍କ ଦ୍ୱାରା ସେ ଜିଲାପାଳ କ୍ଷମତା ପାଇଥିବା ଓ ସେହି କ୍ଷମତା ବଳରେ ଘର ଭାଙ୍ଗିଥିବା ନେଇ ସରପଞ୍ଚ ଶ୍ରୀମତୀ ମୁଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ବୟାନ ରଖିଥିଲେ । ଘଟଣା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପାଇଁ ଦାବୀ ହୋଇଥିଲା । ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଗିରଫ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବା ସହିତ ରାଜରାସ୍ତା ଅବରୋଧ କରାଯିବ ବୋଲି ସ୍ଥାନୀୟ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ଚେତାବନୀ ଦିଆଯାଇଥିଲା ।

ଏହି ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ଲୋଇସିଂହା ପୋଲିସ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ ଖୋଜୁଥିଲା । ଶନିବାର ସନ୍ଧ୍ୟାରେ ଲୋଇସିଂହା ଥାନାର ଟ୍ରେନି ଡ଼ିଏସପି ସୁମନ ରଞ୍ଜିତା ସିଂ, ଆଇଆଇସି ଲଳିତା ଲାକ୍ରାଙ୍କ ସମେତ ଏକ ଟିମ ସାଲେଭଟାରେ ଚଢ଼ାଉ କରି ଅଭିଯୁକ୍ତ ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅପରପକ୍ଷରେ ଗିରଫ ଭୟରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.