ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଅଞ୍ଚଳ ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା । ତା’ ସହିତ ଏକ ବର୍ଷ ହେଲା କୋରାନା ମହାମାରୀ ଲୋକଙ୍କୁ ଭୟଭୀତ କରି ରଖିଛି। ଏପରି ସମୟରେ ବହୁ ସ୍ବେଛାସେବୀ ମାନେ ବିଭିନ୍ନ ପ୍ରକାରର ସେବା ଯୋଗାଇ ଆସୁଛନ୍ତି । କିନ୍ତୁ ଏକ ଭିନ୍ନ ପ୍ରକାରର ସେବା ଯୋଗାଇ ଦେବା ପାଇଁ ବାହାରିଛନ୍ତି ବୁରୋମାଲର ମାଁ କରମସାନୀ କଳା ପରିଷଦର ସଦସ୍ୟ ବୃନ୍ଦ । ପଞ୍ଚାୟତ ପଞ୍ଚାୟତ ଯାଇ ଲୋକଙ୍କୁ କରମା ନାଚ ଦ୍ବାରା ମ୍ୟାଲେରିଆ ଏବଂ କରୋନାରୁ କିପରି ନିଜର ଏବଂ ଲୋକଙ୍କ ଜୀବନ ରକ୍ଷା କରିପାରିବେ ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ହରିଶଙ୍କର ମନ୍ଦିର ପରିସରରେ ନିଜର ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ୟ୍ୟକ୍ରମ କରମା ଦଳର ମୁଖ୍ୟ ଗଣପତି ବିରିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହରିଶଙ୍କର ମନ୍ଦିର ର ମୁଖ୍ୟ ପୂଜକ ତ୍ରିନାଥ ପୂଜାରୀ, ହରିଶଙ୍କର ମନ୍ଦିରର ମ୍ୟାନେଜର ଭାଗ୍ୟବନ୍ତ ସାହୁ, ନାନ୍ଦୁପଲା ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଯଶୋବନ୍ତୀ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏପରି ଏକ ନିଆରା କାର୍ୟ୍ୟକ୍ରମ ଦେଖି ଲୋକମାନେ କରମା ଦଳକୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖା ଯାଇଥିଲା ।