ଭୁଲ୍‌ ଇଂଜେକସନ୍‌ ଓ ବଟିକା ଯୋଗୁଁ ରୋଗୀ ମୃତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଔଷଧ ଦୋକାନୀର ଭୁଲ୍‌ ଇଂଜେକସନ୍‌ ଓ ବଟିକା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ । ଏଭଳି ଘଟଣା ଘଟିଛି ପାରାଦୀପଗଡ ଅଂଚଳରେ । ପାରାଦୀପଗଡ ବଜାରରେ ଜଳଖିଆ ଦୋକାନ କରିଥିବା ରବିନ୍ଦ୍ର ସାହୁଙ୍କର ଆଜି ସକାଳେ ଛାତି ଓ ହାତରେ ଯନ୍ତ୍ରଣା ହେବାରୁ ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ନିକଟରେ ଥିବା କ୍ରିଷ୍ଣା ମେଡିସିନ୍‌ ଷ୍ଟୋର୍‌ ନାମକ ଏକ ଔଷଧ ଦୋକାନକୁ ଯାଇଥିଲେ । ଔଷଧ ଦୋକାନୀ ଜଣକ ତାଙ୍କୁ ଦୁଇଟି ଇଂଜେକସନ୍‌ ଦେବାସହ ଦୁଇଟି ବଟିକା ଖାଇବାକୁ ଦେଇଥିଲା । ସେଠାରୁ ଫେରିବା ବାଟରେ ରବିନ୍ଦ୍ର ହଠାତ୍‌ ଟଳି ପଡିଥିଲେ । ତାଙ୍କୁ ସେଠାରୁ ସଙ୍ଗେ ସଙ୍ଗେ ଅଠରବାଙ୍କି ମେଡିକାଲ୍‌କୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୋକାନୀ ଭୁଲ୍‌ ଇଂଜେକସନ୍‌ ଓ ବଟିକା ଦେବାରୁ ତାଙ୍କ ସ୍ୱାମୀର ମୃତ୍ୟୁ ହୋଇଥିବା ପତ୍ନୀ ରିନା ସାହୁ କହିଛନ୍ତି । ତେବେ କେଉଁ ଇଂଜେକସନ୍‌ ଓ କେଉଁ ବଟିକା ଦିଆଯାଇଥିଲା ସେ ସଂପର୍କରେ ସଠିକ୍‌ ତଥ୍ୟ ନଥିବାରୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି । ଏହାସହ ରିନା ପାରାଦୀପ ଲକ୍‌ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ରବିନ୍ଦ୍ରଙ୍କ ଶବ ଜବତକରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ରବିନ୍ଦ୍ରଙ୍କ ଘର କେନ୍ଦ୍ରାପଡା ଜିଲ୍ଲାର ମନକରପୁର ବୋଲି ଜଣାପଡିଛି ।

Leave A Reply

Your email address will not be published.