ଗଞ୍ଜାମ ଜିଲ୍ଲାସ୍ତରୀୟ ଟ୍ରେଜରୀ ବିଭାଗ ଆନୁକୂଲ୍ୟରେ ଆୟକର, ଡିଜିଟାଲ ଜିପିଏଫ୍ ଓ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଷାଗାର ଅବା ଜିଲ୍ଲା ଟ୍ରେଜରୀ ବିଭାଗ ଆନୁକୂଲ୍ୟରେ ଆୟକର, ଡିଜିଟାଲ ଜିପିଏଫ୍ ଏବଂ ୟୁ.ସି. ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛତ୍ରପୁରସ୍ଥ ଗଞ୍ଜାମ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଓଡିଶା ସରକାରଙ୍କର କୋଷାଗାର ଓ ନିରୀକ୍ଷଣ ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦୀପକ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଭାବେ ପ୍ରଚଳନ ହେବାକୁ ଥିବା ଇଲେକ୍ଟ୍ରୋନିକ୍ ଜିପିଏଫ୍ ଓ ଇଲେକ୍ଟ୍ରୋନିକ ୟୁସି ବାବଦରେ ପ୍ରଶିକ୍ଷାର୍ଥିମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଜିପିଏଫ୍ ଆବେଦନର ଅନଲାଇନ୍ ସୁବିଧା ଦ୍ଵାରା କିପରି ଅବସରର ବହୁପୂର୍ବରୁ କର୍ମଚାରୀମାନେ ନିଜ ନିଜର ଉଠାଣଗୁଡିକୁ ପାଇପାରିବେ ସେ ବିଷୟରେ ବିଶଦ୍ ଭାବେ ଆଲୋଚନା କରିଥିଲେ । ରାଜ୍ୟର ବିଭିନ୍ନ ସରକାରୀ ଅନୁଷ୍ଠାନଗୁଡିକ ଯେଉଁମାନେ କୌଣସି ପ୍ରକାର ଅନୁଦାନ ପାଉଛନ୍ତି, ସେମାନେ ବର୍ଷ ତମାମ ତାହାର ୟୁ.ସି. ଅନ୍‌ଲାଇନରେ ଦାଖଲ କରିପାରିବେ । ଏହା ଦ୍ୱାରା ବର୍ଷବର୍ଷ ଧରି ବକେୟା ରହିଥିବା ୟୁ.ସି. ଦାଖଲ କରିବାର କାର୍ଯ୍ୟକୁ ତ୍ୱରାନ୍ଵିତ କରାଯାଇପାରିବ । ବର୍ତ୍ତମାନ ଓଡିଶା ସରକାର ଆର୍ଥିକ ପରିଚାଳନା କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ସୁଚାରୁ ରୂପେ କିପରି ସମୟ ଅନୁବନ୍ଧିତ ହୋଇ କାର୍ଯ୍ୟ କରିପାରିବେ ସେଥିପାଇଁ ଆଗ୍ରହୀ ଅଛନ୍ତି ବୋଲି ଶ୍ରୀ ଚୌଧୁରୀ ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ରାଜ୍ୟ ଆୟକର ବିଭାଗ ଭୁବନେଶ୍ଵର ଆୟକର ଅଧିକାରୀ ସଞ୍ଜୀବ ଝା, ପ୍ରଶିକ୍ଷକ ହିସାବରେ ଯୋଗଦାନ କରି ବିଭିନ୍ନ କାର୍ଯ୍ୟାଳୟରେ କଟାଯାଉଥିବା ଟିଡିଏସର ରିଟର୍ଣ୍ଣ ଗୁଡିକୁ କିପରି ଦାଖଲ କରାଯିବ ତତ୍‌ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହାପରେ ସେ ପ୍ରଶିକ୍ଷାର୍ଥୀମାନଙ୍କର ପ୍ରଶ୍ନ ଓ ଆଶଙ୍କା ଗୁଡିକୁ ସମାଧାନ କରି ସେମାନଙ୍କୁ ବିଭିନ୍ନ ଆୟକର ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରୁ ୩୫୦ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ । କର୍ମଶାଳାର ଶେଷରେ ଜିଲ୍ଲା କୋଷାଗାର ଅଧିକାରୀ ସୁଶ୍ରୀ ଅଳକାନନ୍ଦା ତ୍ରିପାଠୀ, ଗଞ୍ଜାମ ଜିଲ୍ଲାର ସମସ୍ତ ଉପ-କୋଷାଗାର ଅଧିକାରୀ, ପ୍ରଶିକ୍ଷାର୍ଥୀ ଓ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଅତିରିକ୍ତ କୋଷାଗାର ଅଧିକାରୀ ସତ୍ୟଜିତ ମହାନ୍ତି, ବରିଷ୍ଠ ଗାଣିତିକ ରବୀନ୍ଦ୍ର ନାଥ ସାହୁ, ଜିତେନ୍ଦ୍ର କୁମାର ସେଠୀ, ସନ୍ତୋଷ କୁମାର ଦାଶ, ରଶ୍ମୀରଞ୍ଜନ ପାଇକ ପ୍ରମୁଖଙ୍କୁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.