ସମ୍ବଲପୁର, (କରୁଣାକର ଶତପଥୀ) : ବିଶିଷ୍ଟ ଅଭିନେତା ଉତ୍ତମ ବେହେରା ଏବଂ ଅଭିନେତ୍ରୀ ପ୍ଲାବିନୀ ପାଢୀ ଚଳିତ ବର୍ଷର ମର୍ଯ୍ୟଦା ସମ୍ପନ୍ନ ପ୍ରମୋଦ ସ୍ମୃତି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ବୋଲି ଆବାହକ ଡ.ଦ୍ଵାରିକା ନାଥ ନାୟକ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଉଭୟ ନାଟ୍ୟଶିଳ୍ପୀ ନବେ ଦଶକର ପ୍ରାରମ୍ଭରେ ଉଖୀ, ଭୁଖା ଭଳି ବିଶିଷ୍ଟ ସମ୍ବଲପୁରୀ ନାଟକରେ ଅଭିନୟ କରି ଦର୍ଶକୀୟ ଆଦୃତି ପାଇଥିଲେ । ପ୍ଲାବିନୀ ପାଢୀ ସମ୍ପ୍ରତି ଭୁବନେଶ୍ୱରରେ ସପରିବାର ଅବସ୍ଥାନ କରୁଛନ୍ତି ଏବଂ ଆକାଶବାଣୀ କଟକର ଜନୈକା ଏ’ଗ୍ରେଡ୍ର କଳାକାର ଭାବରେ ଏବେବି ବେତାର ନାଟକ ସହ ଜଡିତ ଅଛନ୍ତି । ତେବେ ଅଭିନେତା ଉତ୍ତମ ବେହେରା ସୃଷ୍ଟି ପ୍ରଯୋଜିତ ଉଖୀ, ଭୁଖା, ପ୍ରମୋଦ ତ୍ରିପାଠୀଙ୍କ ରଚିତ ବେଗମ୍ ଆଦି ନାଟକରେ ଅଭିନୟ କରି ସମ୍ବଲପୁରୀ ନାଟ୍ୟ ଆନ୍ଦୋଳନ ସହ ଜଡ଼ିତ ଥିଲେ । କରୋନା ପରିସ୍ଥିତି ସାଧାରଣ ଥିଲେ ଏହି ଉତ୍ସବ ସ୍ଵର୍ଗତ ପ୍ରମୋଦ ତ୍ରିପାଠୀଙ୍କ ତିରୋଧାନ ଦିବସ ଅଗଷ୍ଟରେ ଆୟୋଜିତ ହେବ ବୋଲି ଆୟୋଜକ ସଂସ୍ଥା ତରଫରୁ ପ୍ରକାଶ ।