om academy

ଟିଟିଲାଗଡ଼ରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : କିଛି ମାସର ବ୍ୟବଧାନ ପରେ ଆଜି ପୁଣି ଥରେ ଆରମ୍ଭ ହୋଇଛି ଟିଟିଲାଗଡରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ବନବିଭାଗ କାର୍ୟ୍ୟାଳୟ ସମ୍ମୁଖ ଶ୍ରୀଦାଦି ଜୀ ପ୍ରଭାବତୀ ପବ୍ଲିକ ସ୍କୁଲର ବାଡ଼ାକୁ ଆଜି ପ୍ରଶାସନ ତରଫରୁ ଭଙ୍ଗାଯାଇଛି । ବ୍ୟାଙ୍କ ଛକରୁ ଶାସ୍ତ୍ରୀ ଛକ ଯାଏଁ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଲୋକଙ୍କୁ ପୁଣି ଥରେ ସାତ ଦିନର ସମୟ ଦିଆଯାଇଛି । ସେମାନଙ୍କୁ ନିଜ ଘର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଚିହ୍ନ ପର୍ୟ୍ୟନ୍ତ ଭାଙ୍ଗି ରାସ୍ତା ସହ ସମାନ କରିବା ପାଇଁ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କହିଛନ୍ତି । ଅପର ପକ୍ଷରେ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ଯେଉଁ ସ୍ଥାନରେ କୌଣସି ପ୍ରାକ୍ ସୂଚନା ଦିଆଯାଇ ନ ଥିଲା ସେହି ସ୍ଥାନକୁ ପ୍ରଶାସନ ଆସି ହଠାତ୍ ଭାଙ୍ଗି ଦେଇଛି । କିନ୍ତୁ ଯେଉଁ ସ୍ଥାନରେ ପ୍ରଶାସନ ଜବର୍ ଦଖଲର ଚିହ୍ନ ଦେଇ ପନ୍ଦର ଦିନ ପୂର୍ବରୁ ମାତ୍ର ୨୪ ଘଣ୍ଟାର ସମୟ ଦେଇଥିଲା, ତାକୁ ହାତ ମଧ୍ୟ ଲଗାଇ ନାହିଁ । ଯେଉଁ ସ୍ଥାନରେ ଗରିବ ଦିନ ମଜୁରିଆ ଅଛନ୍ତି, ସେହି ସ୍ଥାନ କେବଳ ପ୍ରଶାସନର ଆଖିକୁ ଦେଖାଯାଉଛି ଏବଂ ଯେଉଁ ସ୍ଥାନରେ ବଡ଼ ବଡ଼ କୋଟିପତି ଅଛନ୍ତି ସେହି ମାନଙ୍କ ଜବର ଦଖଲକୁ ନଜର ଅନ୍ଦାଜ୍‌ କରି ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ମଝିରେ ଏକ ବଡ଼ ଧରଣର ବିଦ୍ୟୁତ୍ ଟ୍ରାନ୍ସଫର୍ମର ରହିଛି, ତାହା ପ୍ରଶାସନକୁ କୌଣସି ଅସୁବିଧା ଦେଖାଯାଉ ନଥିବା ବେଳେ ଟ୍ରାନ୍ସଫର୍ମରକୁ ଲାଗି ରହିଥିବା ରାସ୍ତାକଡର ଧୋବା ଦୋକାନ ଓ ଚା ଦୋକାନ ପ୍ରଶାସନର ପାଦରେ କଣ୍ଟା ଫୋଡ଼ୁଛି ବୋଲି ଉକ୍ତ ସ୍ଥାନର ଲୋକ ମାନେ କହିଛନ୍ତି । ବଡ଼ ବଡ଼ ଦୋକାନ ଗୁଡ଼ିକ ସାମ୍ନାରେ ପାର୍କିଂ ସ୍ଥାନ ନ ଥିବା ପ୍ରଶାସନର ଦୃଷ୍ଟି ପଡୁ ନଥିବା ବେଳେ ବ୍ୟବହାର ହେଉ ନଥିବା ଅଞ୍ଚଳରେ ଟିଟିଲାଗଡ ସହରର ଡ୍ରାଇଭର ୟୁନିଅନର ଏକ ଛୋଟ କୋଠରୀକୁ ବିନା କୌଣସି ପ୍ରାକ୍ ସୂଚନାରେ ଭାଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ । ଅଣ ଓସାରିଆ ରାସ୍ତାରେ ବଡ଼ ବଡ ବ୍ୟାଙ୍କ ଗୁଡିକର କୌଣସି ପାର୍କିଂ ସ୍ଥାନର ସୁବିଧା ନ ଥିବା ବେଳେ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିବା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁନାହିଁ ବୋଲି ଆଲୋଚନା ହେଉଛି ।

ଟିଟିଲାଗଡର ମୁଖ୍ୟ ରାସ୍ତା ଗୁଡିକ ଯେପରି ଶାସ୍ତ୍ରୀ ଛକରୁ ଡାକ ବଙ୍ଗଳା ପର୍ୟ୍ୟନ୍ତ (ଏନ୍ ଏଚ ୫୯), ପୋଲିସ ଷ୍ଟେସନ ଛକରୁ କଲ୍ୟାଣ ମଣ୍ଡପ ପର୍ୟ୍ୟନ୍ତ, ହାଟପଦା ରେଳବାଇ ଭୂତଳ ପୋଲ ଠାରୁ ଷ୍ଟେଟ ବ୍ୟାଙ୍କର ବଜାର ବ୍ରାଞ୍ଚର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ଗୁଡ଼ିକୁ ପ୍ରଶସ୍ତ କରିବା ପାଇଁ ଦାବୀ କରିଛନ୍ତି ଟିଟିଲାଗଡ ବାସୀ । ଆଜି ଉପ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ନିଜେ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଜବର ଦଖଲ କରିଥିବା ବଡ଼ବଡ଼ିଆ ଲୋକଙ୍କୁ ନିଜେ ନିଜେ ରାସ୍ତା ପାଇଁ ନିଜ ବାରଣ୍ଡା ଓ ପିଣ୍ଡାକୁ ଭାଙ୍ଗି ରାସ୍ତା ସହ ସମାନ କରିବାପାଇଁ କହିଛନ୍ତି ଓ ସାତ ଦିନ ସମୟ ଦେଇଛନ୍ତି । ଉପ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଓ ଅମିନ ରଞ୍ଜିତ ପାଣି ଉପସ୍ଥିତ ଥିଲେ । ଆଗକୁ ଦେଖିବାକୁ ରହିଲା, କେତେ ଶୀଘ୍ର ଓ କେଉଁ ଢଙ୍ଗରେ ପ୍ରଶାସନ କାମକୁ ଆଗକୁ ନେଉଛି ।

Leave A Reply

Your email address will not be published.