ମାଓବାଦୀଙ୍କ ଶହୀଦ ସପ୍ତାହରେ ଲାଗିଲା ମାଓ ପୋଷ୍ଟର

ମ.ରାମପୁର, (ହେମନ୍ତ ସାହୁ) : ମାଓବାଦୀମାନଙ୍କ ଶହୀଦ ସପ୍ତାହ ଚାଲିଥିବା ବେଳେ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିଛନ୍ତି ଲାଲବାହିନୀ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମୋହନଗିରି ପଞ୍ଚାୟତର ମୋହନଗିରି ମେନରୋଡ଼ ହାଟପଡା, ବିଜାମାଲର ହରିଡ଼ାପଡା, ସିଂହପୁର ପଂଚାୟତ କାନ୍ଥ, ରାସ୍ତା କଡ଼ରେ ଥିବା କାନ୍ଥ, ବିଦ୍ୟୁତ ଖୁଣ୍ଟ ଓ ଗଛରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, କେକେବିଏନ୍‌ ଡିଭିଜନାଲ କମିଟି, ଭାଜପା (ମାଓବାଦୀ) ପକ୍ଷରୁ ଲାଗିଥିବା ପୋଷ୍ଟରରେ ଅଗଷ୍ଟ ୧୫କୁ ମିଛ ସ୍ୱାଧୀନତା ପର୍ଦ୍ଧାଫାଶ କରନ୍ତୁ, କଳାଦିବସ ଭାବେ ପାଳନ କରନ୍ତୁ । ଦେଶର ଲୋକଙ୍କ ଉପରେ ଫାଶୀବାଦୀ ସମାଧାନ ସୈନିକ ଆକ୍ରମଣ କଳା ଆଇନ ବିରୁଦ୍ଧରେ ସଂଘର୍ଷ ତେଜ କରନ୍ତୁ, ଦେଶରେ ଅଘୋଷିତ ଜରୁରୀକାଳୀନ ଯୁଦ୍ଧ ବିରୁଦ୍ଧରେ ସମସ୍ତ ଦେଶପ୍ରେମୀ ଏକାଠି ହୋଇ ସଂଘର୍ଷ କରନ୍ତୁ । ଚାଷୀ ସଂକଟ, ଖାଦ୍ୟାଭାବ, ବେରୋଜଗାର ମହିଳାଙ୍କ ଉପରେ ଅତ୍ୟାଚାର, ଦରଦାମ ବୃଦ୍ଧି ମାନବିକତା ବିରୁଦ୍ଧରେ ପ୍ରକୃତି ଓ ପରିବେଶକୁ ବଞ୍ଚାଇବା ପାଇଁ ଆନ୍ଦୋଳନ ବ୍ୟାପକ କରନ୍ତୁ ବୋଲି ଉଲ୍ଲେଖ ରହିଛି । ଏଭଳି ପୋଷ୍ଟର ଦେଖି ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

Leave A Reply

Your email address will not be published.