ପ୍ରାଧ୍ୟାପକ ରମାକାନ୍ତ ରାଉତଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ବିଳମ୍ବିତ ରାତି ୨ଟା ସମୟରେ ସ୍ଥାନୀୟ ଅଂଚଳ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ରମାକାନ୍ତ ରାଉତଙ୍କ ବଡ଼ବନ୍ଧପଡ଼ା ସ୍ଥିତ ନିଜ ବାସଭବନରେ ୫୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ସ୍ୱର୍ଗତ ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ୍‌ ଗୁରୁତର ଥିଲା । ୧୯୮୯ ମସିହାରେ ସେ ଅଂଚଳ ମହାବିଦ୍ୟାଳୟରେ ଚାକିରୀରେ ଯୋଗଦାନ କରିଥିଲେ । ‘ଲୁ’ ନାଟ୍ୟ ସଂସ୍ଥା ସହ ମଧ୍ୟ ସେ ଯୋଡ଼ି ହୋଇଥିଲେ । ‘ଅସୁର’ ଓ ‘ଅମ୍ବା’ ନାଟକରେ ସେ ତାଙ୍କର ଅଭିନୟର ଛାପ ଛାଡ଼ି ଯାଇଛନ୍ତି । ବୋଡ଼ାସମ୍ବର କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଆମ୍ପାରିଂ କରିବା ସହିତ ସେ ଜଣେ ଭଲ ବ୍ୟାଡ଼ମିଣ୍ଟନ ଖେଳାଳୀ ଭାବେ ବେଶ୍‌ ଜଣାଶୁଣା ଥିଲେ । ଜଣେ ଦକ୍ଷ ଅଧ୍ୟାପକ ଭାବେ ଛାତ୍ରଛାତ୍ରୀଙ୍କ ମହଲରେ ସୁନାମ ଅର୍ଜନ କରିଥିବା ସ୍ୱର୍ଗତ ପ୍ରାଧ୍ୟାପକ ରାଉତ ସହରର ଅନ୍ୟାନ୍ୟ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହିତ ମଧ୍ୟ ଯୋଡ଼ି ହୋଇ ରହିଥିଲେ । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସାରା ସହରରେ ଶୋକର ଛାୟା ଖେଳି ଯାଇଥିଲା । ସମ୍ବଲପୁର ମୂଳ ନିବାସୀ ସ୍ୱର୍ଗତ ରାଉତ ପଦ୍ମପୁରକୁ କର୍ମଭୂମି ଭାବେ ବାଛି ନେବା ପରେ ଏଠାକାର ଅଧିବାସୀ ପାଲଟି ସାରିଥିଲେ । ତାଙ୍କ ପରଲୋକ ପରେ ଶହ ଶହ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାମାନେ ତାଙ୍କ ମରଶରୀରର ଶେଷ ଦର୍ଶନ କରିଥିଲେ । ସେ ତାଙ୍କ ପଛରେ ପତ୍ନୀ, ପୁତ୍ର ଦେବାଶିଷ ଓ କନ୍ୟା ଅନନ୍ୟାକୁ ଛାଡ଼ି ଯାଇଛନ୍ତି । ସ୍ଥାନୀୟୟ ସ୍ୱର୍ଗଦ୍ୱାରରେ ତାଙ୍କ ଶବ ସତ୍‌କାର କରାଯାଇଥିଲା । ପୁତ୍ର ଦେବାଶିଷ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ରାଉତଙ୍କ ଉଦ୍ଦେଶ୍ୟରେ ଅଂଚଳ ମହାବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇ କ୍ଲାସ୍‌ଗୁଡ଼ିକ ସସ୍‌ପେଣ୍ଡ କରାଯାଇଥିଲା ।

Leave A Reply

Your email address will not be published.