ବରଗଡ଼ ନୋଡାଲ ଅଫିସରଙ୍କ ବିଜେପୁର ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବ୍ଲକରେ ବିଗତ ତିନି ବର୍ଷରୁ ଆରମ୍ଭ ହୋଇଥିବା ମିଲେଟ ମିଶନ କାର୍ଯ୍ୟକ୍ରମ ଇତି ମଧ୍ୟରେ ଚାଷୀମାନଙ୍କ ପାଇଁ ଅର୍ଥ ଉପାର୍ଜନର ଏକ ନୂଆ ରାହା ଖୋଲି ଦେଇଛି । ଏହି ବ୍ଲକ ଏକ ବୃଷ୍ଟିପୁଷ୍ଟ ଅଂଚଳ ହୋଇଥିବାରୁ ରବି ଋତୁରେ ଚାଷ କାମ ଠିକ୍‌ ଭାବରେ ହୋଇପାରେ ନାହିଁ । ତେଣୁ ଧାନରୁ ଅଣ ଧାନ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରବି ଋତୁରେ ମଧ୍ୟ ମାଣ୍ଡିଆ ଚାଷ ସମ୍ଭବପର ହୋଇପାରିବାର ସଂକଳ୍ପ ରଖି ଚାଷୀଙ୍କୁ କୃଷି ବିଭାଗ, ବରଗଡ଼, ଓଡିଶା ମିଲେଟ ମିଶନ ସହାୟତାରେ ଓ ମହାଶକ୍ତି ଫାଉଣ୍ଡେସନ ସ୍ବେଛାସେବୀ ଅନୁଷ୍ଠାନ ମାଧ୍ୟମରେ ବିଜେପୁର ଅଂଚଳରେ କ୍ରମାଗତ ଭାବେ ତିନି ବର୍ଷ ହେଲାଣି ରବି ଋତୁ ମାଣ୍ଡିଆ ଚାଷ କରାଯାଉଛି । ଏଥିପାଇଁ ସରକାର ମଧ୍ୟ ଚାଷୀଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଦୟାନିଧି ନାୟକ, ଆଇ. ଏ. ଏସ ତଥା ଜିଲ୍ଲା ନୋଡାଲ ଅଫିସର ବିଜେପୁର ବ୍ଲକ ପଡା ଗ୍ରା. ପ ଅନ୍ତର୍ଗତ ବାଞ୍ଜିଡୁଙ୍ଗୁରି ଗ୍ରାମର ଚାଷୀ ଶେଷ ସେଠଙ୍କ ମାଣ୍ଡିଆ କ୍ଷେତ ପରିଦର୍ଶନ କରିଥିଲେ । ଚାଷୀଙ୍କ ସହିତ ବାର୍ତ୍ତାଳାପ କରି ମାଣ୍ଡିଆ ଚାଷର ସମୀକ୍ଷା କରିଥିଲେ । କମ ପାଣି ତଥା କମ ଖର୍ଚ୍ଚରେ ମାତ୍ର ତିନି ମାସରେ ଏକର ପ୍ରତି ପ୍ରାୟ କୋଡିଏରୁ ପଚିଶି ହଜାର ଟଙ୍କା ଆୟ ହୋଇ ପାରୁଥିବା ସେ ଚାଷୀଙ୍କ ଠାରୁ ଜାଣିବାକୁ ପାଇଥିଲେ । ଏହା ପରେ ବିଜେପୁର ସ୍ଥିତ ମିଲେଟ ଟିଫିନ ସେଣ୍ଟରକୁ ପରିଦର୍ଶନ କରିଥିଲେ । ଏହାକୁ ପରିଚାଳନା କରୁଥିବା ତାଳପଦର ଗ୍ରାମର ଲଷ୍ମୀବାଇ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କ ସହ ଆଲୋଚନା କରିଥିଲେ । ମହିଳାମାନେ ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ଖାଦ୍ୟ ପଦାର୍ଥ ତାଙ୍କୁ ଦେଖାଇବା ସହ ଏହା ତାଙ୍କ ଗୋଷ୍ଠୀକୁ ଭଲ ଆୟ ପ୍ରଦାନ କରିବା ସହ ଏକ ମିଠା ମିସ୍ତ୍ରୀ ପରିବାରକୁ ରୋଜଗାର ଦେଇପାରିଛି ବୋଲି କହିଥିଲେ । ଖରା ଦିନ ହୋଇ ଥିବାରୁ ମହିଳା ମାନଙ୍କ ଦ୍ୱାରା ତିଆରି ମାଣ୍ଡିଆ ଲସି ପରିବେଷଣ ଅତିଥି ମାନଙ୍କ ବେଶ ମନ ମୋହିଥିଲା । ଶ୍ରୀ ନାୟକ, ଆଇ. ଏ. ଏସ ଟିଫିନ ସେଣ୍ଟରର ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ମହାରଣା, ଜିଲ୍ଲା କୃଷି ଅଧିକାରୀ ବରଗଡ଼, ପି. ଡି.ଜଳ ବିଭାଜିକା, ବରଗଡ଼ ଏ. ଡି. ଏଚ, ବରଗଡ଼ ଏ. ଡି. ଏ. ଓ, ସୋହେଲା, ପ୍ରାଣବନ୍ଧୁ ସାହୁ, ବ୍ଲକ କୃଷି ଅଧିକାରୀ, ସନ୍ୟାସୀ ସେଠ, ସହକାରୀ କୃଷି ଅଧିକାରୀ, ବିଜେପୁର, ଅନ୍ୟାନ୍ୟ ସମ୍ପୃକ୍ତ ଜିଲ୍ଲା ଅଧିକାରୀ ତଥା ମହାଶକ୍ତି ଫାଉଣ୍ଡେସନର ଉପ ସଭାନେତ୍ରୀ ରୋଜାଲିନ ଭୂୟାଁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମିଲେଟ ମିଶନ ବ୍ଲକ ସଂଯୋଜକ ରବି ରଣା, ସହସଂଯୋଜକ ଗୌର ରଣା, ମହାଦେବ ସାହୁ, ଫକୀର ଦୀପ, ଭୋଳାନାଥ ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.