ଲୋଇସିଂହା : ମେଘ ଅଛି ବର୍ଷା ନାହିଁ, ଚାଷୀ ହତାଶ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବର୍ଷାଜଳ ଉପରେ ନିର୍ଭର କରୁଥିବା ବଳାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ ଅଂଚଳରେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ବର୍ଷାଭାବ ଦେଖାଦେଇଛି । ଫଳରେ ଧାନଚାଷର ରୁଆ ବେଉଷଣା କିଛି ପରିମାଣରେ ବାକି ରହିଯାଇଛି । ମେଘ ଉଠୁଛି, କିନ୍ତୁ ବର୍ଷା ହେଉନି । ଏପରିକି ଲଘୁଚାପ ବି ଫେଲ୍ ମାରିଛି । ଯଦି ବର୍ଷାର ଅଭାବ ହୁଏ ମରୁଡିର ଆଶଙ୍କା ଝଲମଲ ଦେଖାଯାଉଛି । ତେଣୁ ବର୍ଷା ହିଁ ଭରସା ବୋଲି ଚାଷୀ କହୁଛନ୍ତି । ମୁଖ୍ୟତଃ ଧାନଚାଷ ପାଇଁ ସମୟ ଗଡ଼ିଗଡ଼ି ଯାଉଛି । ଜୁଲାଇ ମାସରେ ସାଧାରଣ ବୃଷ୍ଟିପାତରୁ ମଧ୍ୟ ବହୁତ କମ୍ ବୃଷ୍ଟିପାତ ହୋଇଥିବା ରେକର୍ଡ ରହିଥିବା ସହ ଚଳିତ ଅଗଷ୍ଟ ୧୧ ସୁଦ୍ଧା ମଧ୍ୟ ବର୍ଷାର ଅଭାବ ଦେଖାଦେଇଛି । ପଳରେ ଉଭୟ ଚାଷୀ ଓ ଚାଷ ପାଇଁ ସଂକଟ ଦେଖାଦେଇଥିବା ବେଳେ ଖରିଫ ଚାଷ ବାଧାପ୍ରାପ୍ତ ହେବାର ଆଶଙ୍କା ବଢିଛି । ସୂଚନା ଅନୁ୍ୟାୟୀ, ବଳାଙ୍ଗିର ଜିଲ୍ଲା ଏକ ଅଣଜଳସେଚିତ ଜିଲ୍ଲା ହୋଇଥିବା ବେଳେ ଲୋଇସିଂହା ବ୍ଲକ ତନ୍ମଧ୍ୟରୁ ଏକ ନମ୍ବରରେ ସ୍ଥାନ ପାଇଛି । ଏଠି ବର୍ଷକରେ ଥରେ ଖରିଫ ଚାଷ ହୋଇଥାଏ । ଯାହାକି ସଂପୁର୍ଣ୍ଣ ଭାବେ ବର୍ଷାଜଳ ଉପରେ ନିର୍ଭର କରିଥାଏ । କିନ୍ତୁ ଲଗାତାର ଚାଷୀ ବର୍ଷା ଅଭାବ ଯୋଗୁଁ ଚାଷରେ ଫେଲ୍ ମାରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଅନୁରୁପ ଆଶଙ୍କା ଦେଖାଦେଲାଣି । ଲୋଇସିଂହା ବ୍ଲକ କୃଷି ଅଧିକାରୀ ସୁଶୀଳ କୁମାର ସେଠୀଙ୍କ ସୂଚନା ଅନୁଯାୟୀ, ଏହି ବ୍ଲକରେ ୧୦ ହଜାର ୫୯୦ ହେକ୍ଟର ଧାନଚାଷ ଜମି ରହିଛି । ତନ୍ମଧ୍ୟରୁ ଚଳିତ ବର୍ଷ ୯୮୮୮ ହେକ୍ଟର ଜମିରେ ଧାନଚାଷ ପାଇଁ ଳକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୬୧୬୫ ହେକ୍ଟରରେ ବୁଣା ଓ ୪୭୨୩ ହେକ୍ଟରରେ ରୁଆ ଚାଲିଛି । ତେବେ ବର୍ଷା ଜଳ ଉପରେ ନିର୍ଭର କରୁଥିବା ଏହି ଅଂଚଳ ଅଦ୍ୟାବଧି ୮୦ ପ୍ରତିଶତ ରୁଆ/ବେଉଷଣା ଶେଷ ହୋଇଥିବା ବେଳେ ୨୦ ପ୍ରତିଶତ ବାକି ପଡିଛି । ତେବେ ଗତ ଜୁଲାଇ ମାସରେ ସାଧାରଣ ବୃଷ୍ଟିପାତରୁ ମଧ୍ୟ କମ୍ ବର୍ଷା ହୋଇଥିଲେ ମଧ୍ୟ ଚଳିତ ମାସ ପା୍ରରମ୍ଭରେ ଚାଷୀ ଆଶା କରୁଥିବା ୨ ଟି ଲଘୁଚାପରେ ମଧ୍ୟ ଆଶାନୁରୁପ ବର୍ଷା ହୋଇନାହିଁ । ଫଳରେ ବାକି ରହିଥିବା ରୁଆ/ବେଉଷଣା ସକାଶେ ପାଣିର ଅବାବ ସାଙ୍ଗକୁ ରୁଆ/ବେଉଷଣା ସରିଥିବା ଚାଷ ଜମି ପାଇଁ ମଧ୍ୟ ଜଳ ସଂକଟ ଖୋଦେଇଛି । କିଛି ଧାର ଓ ଖାଲୁଆ ଜମିରେ ପାଣି ରହିଥିବା ବେଳେ ଅନ୍ୟ ଜମିରେ ପାଣିର ଅଭାବ ରହିଛି । ଫଳରେ ଚଳିତ ଅଗଷ୍ଟ ଦ୍ୱିତୀୟ ସପ୍ତାହ ମଧ୍ୟ ଯଦି ଭଳ ବର୍ଷା ନ ଆସେ ଧାନ ଚାଷରେ ବହୁ କ୍ଷତି ହେବ ବୋଲି ଜଣାପଡୁଛି । ତେଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଜଳସେଚନ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.