
କଟକ, (କେପିଏନ୍ଏସ୍) : କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସିଏମ୍ସି ପକ୍ଷରୁ କଟକରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସିଏମ୍ସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଏ ନେଇ ସିଏମ୍ସି ପକ୍ଷରୁ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନ, ମଲ୍ରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଗ୍ରାହକ ମାସ୍କ ପିନ୍ଧିଛନ୍ତି କି ନାହିଁ ଏହା ଉପରେ ଦୋକାନ, ମଲ୍ ମାଲିକ ନଜର ରଖିବେ । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ସରକାରୀ ଏବଂ ବେସରକାରୀ ଅଫିସ ବା ସଂସ୍ଥାରେ କୋଭିଡ ନିୟମ କଡାକଡି ପାଳନ ବାଧ୍ୟତାମୂଳକ କରାଯାଇଛି । ତେବେ ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।