ବିଶ୍ୱ ମାନବ ଅଧିକାର ଦିବସରେ ମହିଳା ପ୍ରତି ହିଂସା ବିରୁଦ୍ଧରେ ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ, (ତାପସ ଦାସ) : ମହିଳା ଓ ବାଳିକା ଗ୍ରାମ ପଞ୍ଚାୟତ ପ୍ରକଳ୍ପ (ୟୁଏନ୍‌ଏଫପିଏ, ଶୋଭା, ପ୍ରେମ) ଆନୁକୂଲ୍ୟରେ ମହିଳା ପ୍ରତି ହିଂସା ବିରୋଧ କରି ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମର ଆଜି ଅପରାହ୍ନରେ ଗନ୍ଦିଆ ବ୍ଲକ ସଭାଗୃହରେ ସମାପିତ ହୋଇଯାଇଛି । ସୂଚନା ଥାଉକି ଗତ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୧୦ ଡ଼ିସେମ୍ବର ମାନବ ଅଧିକାର ଦିବସରେ ଶେଷ ହୋଇଛି । ଏହି ସଭାରେ ଗନ୍ଦିଆ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କର ସୁରକ୍ଷା ଉପରେ ଆଲୋକପାତ କରିଥିଲେ, ମୁଖ୍ୟବକ୍ତା ଭାବେ ଏନ୍‌ଏଚ୍‌ଏମ୍‌ ଆଡଲସେଣ୍ଟ ମେଂଟର ପ୍ରଳୟ ଦାସ, ସଂମ୍ମାନିତ ଅତିଥି ଭାବେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ବ୍ଲକ ଅଧିକାରିଣୀ ଉର୍ମିଳା ଦେହୁରୀ, ଏବିଇଓ ଜ୍ୟୋତିର୍ମୟୀ ନାଥଶର୍ମା, ବିପିସି ମିଶନ ଶକ୍ତି ସସ୍ମିତା ରାଉତ, ବିପିଏମ ବୀରକିଶୋର ପଣ୍ଡା, ଗନ୍ଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ୍‌ର ସଭାପତି ପ୍ରଦୀପ ଦାସ, ବାଳିକା ଓ ମହିଳା ଗ୍ରାମ ପଞ୍ଚାୟତ ପ୍ରକଳ୍ପର ଜିଲ୍ଲା ସଂଯୋଜିକା ବିଜୟଲଷ୍ମୀ ସିଂ, ପୋରୁହଖୋଜ ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ଯୋଗ ଦେଇ ଘରୋଇ ହିଂସା, କିଶୋରୀମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡନା, କର୍ମକ୍ଷେତ୍ରରେ କର୍ମଜୀବୀ ମହିଳାମାନଙ୍କ ଉପରେ ଶାରୀରିକ ଓ ମାନସିକ ସ୍ତରରେ ହେଉଥିବା ନିର୍ୟାତନା, ଲିଙ୍ଗଗତ ଭେଦଭାବ ଓ ବାଲ୍ୟ ବିବାହ ଯୌତୁକ ପ୍ରଥା ପରି କୁସଂସ୍କାର ଏବଂ କୁପ୍ରଥା କିପରି ଭାବେ ସମାଜରୁ ଦୂର ହୋଇପାରିବ ଏହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବା ସହିତ ଆଜିର ବିଶ୍ୱ ମାନବ ଅଧିକାର ଦିବସରେ ଏ ସବୁ କୁସଂସ୍କାର ଓ କୁପ୍ରଥା ଓ ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସାକୁ ବିରୋଧ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ । ଗଁଦିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ସଚେତନତା ମୂଳକ କାର୍ଯ୍ୟକ୍ରମ ପାଇଁ ଜିପିଡିପିରେ ବଜେଟ ଅନ୍ତର୍ଭୁକ୍ତ କରିବା ପାଇଁ ଚଳିତ ବର୍ଷର ଶେଷ ପଞ୍ଚାୟତ ଗ୍ରାମସଭାରେ ପଞ୍ଚାୟତଗୁଡିକୁ ପତ୍ର ମାଧ୍ୟମରେ ସୂଚିତ କରିଥିବାରୁ ବିଡିଓ ଶ୍ରୀ ସାହୁ ଓ ଜିପିଓ ଅଭିରାମ ନାୟକଙ୍କୁ ଆଜିର ସଭା ସାଧୁବାଦ ଜଣାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, କିଶୋରୀ ବାଳିକା, ଏଏନ୍‌ଏମ୍‌, ଓକିଲ ବନ୍ଧୁ ଗଣମାଧ୍ୟମର ପ୍ରତିନିଧି ବନ୍ଧୁ ଗଣ ଅଂଶଗ୍ରହଣ କରିଥିଲେ । ବାଳିକା ଓ ମହିଳା ଗ୍ରାମପଞ୍ଚାୟତ ପ୍ରକଳ୍ପର ବ୍ଲକ ସଂଯୋଜିକା ଶୁଭଶ୍ରୀ ପାଇଟାଳ ସଭାପତିତ୍ୱ କରିବା ସହିତ ଏହି ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.