ଭବାନୀପାଟଣା, (କେପିଏନ୍ଏସ୍) : ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ଚଳିତ ବର୍ଷର ‘ମହୁରି ସମ୍ମାନ’ ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ସମ୍ମାନ ପାଇବେ କବି ଲକ୍ଷ୍ମୀନାରାୟଣ ହୋତା । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଉଥିବାବେଳେ ଚଳିତ ବର୍ଷ ଶ୍ରୀ ହୋତାଙ୍କ ନାମକୁ ଚୟନ କମିଟି ସୁପାରିଶ କରିଛି । ଏନେଇ ଘୋଷଣା କରିବା ସହିତ ଆସନ୍ତା ଡ଼ିସେମ୍ବର ୨୭ ତାରିଖରେ ମହୁରି ମହୋତ୍ସବ-୨୦୨୦ରେ ଭବାନୀପାଟଣା ଠାରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ ଘୋଷଣା କରିଛନ୍ତି । ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ବିଗତ ବର୍ଷମାନଙ୍କରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ ଓ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ଼. ସୁରେଶ ନାୟକ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।
ସମ୍ବଲପୁର ଜିଲ୍ଲାର ହୁମା ଠାରେ ୧୯୭୩ରେ ଜନ୍ମ ହୋଇଥିବା କବି ଶ୍ରୀ ହୋତା ଛାତ୍ର ଜୀବନରୁ ସାହିତ୍ୟ ସାଧନାରେ ରତ ଅଛନ୍ତି । । କବିତା ଓ ଫିଚର ରଚନା ସହ ସାହିତ୍ୟ ସଂଗଠନରେ ତାଙ୍କର ସକ୍ରିୟ ସଂପୃକ୍ତି ରହିଛି । ଘଟଣା ବହୁଳ ସାମାଜିକ ଜୀବନ, ମାନବୀୟ ସମ୍ବେଦନ ଓ ନିରୁତା ପ୍ରେମକୁ ବେଶ୍ ନିଖୁଣ ଭାବରେ ପରିପ୍ରକାଶ କରିବାରେ ସେ ସିଦ୍ଧହସ୍ତ । ତାଙ୍କର କବିତାମାନ ଇଂରାଜୀ ଓ ବାଂଲା ଭାଷାରେ ଅନୁଦିତ ହୋଇଥିବା ବେଳେ ସେ ନିଜେ ମଧ୍ୟ ଓଡ଼ିଆରୁ ଅନ୍ୟ ଇଂରାଜୀକୁ ଅନୁବାଦ କରିଥାନ୍ତି । ସାମ୍ବାଦିକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ଶ୍ରୀ ହୋତା ସଂପ୍ରତି ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ସଂପାଦନା ବିଭାଗର ମୁଖ୍ୟ ଅଟନ୍ତି