ମାହେଶ୍ବରୀ ଦେବୀପୀଠରେ ଆଜି ଆଶ୍ବିନର ଶେଷପାର୍ବଣ “କୁମାର ପୂର୍ଣ୍ଣମୀ” ତଥା “ମହାଖଳା” ପୂଜା ଅନୁଷ୍ଠିତ

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସ୍ତମ୍ଭେଶ୍ବରୀ ସଂସ୍କୃତିର ଆଦିଭୂମି ସୁବର୍ଣ୍ଣପୁର ଜିଲ୍ଲାର ୫୦ରୁ ଅଧିକ ମାହେଶ୍ବରୀ ଦେବୀପୀଠରେ ଆଜି ଆଶ୍ବିନର ଶେଷପାର୍ବଣ “କୁମାର ପୂର୍ଣ୍ଣମୀ” ତଥା “ମହାଖଳା” ପୂଜା ଅନୁଷ୍ଠିତ ହୋଇଯାଇଛି । ଭୋର୍ ସକାଳରୁ ଦେବୀ ମାହେଶ୍ବରୀ ଓ ପରମେଶ୍ବରୀଙ୍କ ପ୍ରତୀକ ଯୋଡାସ୍ତମ୍ଭକୁ ପଂଚାମୃତ ସହ ଗାଈକ୍ଷୀର, ଦହି, ମହୁରେ ମହାସ୍ନାନ କରାଇ ଚନ୍ଦନ ଓ ସିନ୍ଦୁରର ଲେପ ଦେଇ ମହାଖଳା ପୂଜାପୀଠକୁ ବିଜେ କରାଯାଇଛି । ପରେ ପରେ ଗମ୍ଭିରାରୁ ଦେବୀ ମାହେଶ୍ବରୀଙ୍କ ପାର୍ଶ୍ବ ଦେବାଦେବୀଙ୍କ ଛତିଛତ୍ର ସହ ଆଲମକୁ ଘଣ୍ଟ ଓ ଶଙ୍ଖନାଦରେ ପୂଜାବେଦୀକୁ ଅଣାଯାଇ ପୂଜା କରାଯାଇଛି । ଆଶ୍ବିନ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ପୂର୍ଣ୍ଣମୀ ଯାଏଁ ଚାଲିଥିବା ଷୋହଳ ପୂଜାର ଶେଷପର୍ବ କୁମାର ପୂର୍ଣ୍ଣମୀରେ ଆଜି ପୀଠସବୁ ପାର୍ବଣମୁଖର ହୋଇଉଠିଛି । ବିଶେଷକରି, ବୀରମହାରାଜପୁ୍ରର କାନପୁର ମାହେଶ୍ବରୀ ପୀଠରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦ୍ବାରା ମହାଖଳା ଆକାରରେ ପୂଜା ଅନୁଷ୍ଠିତ ହୋଇଛି । ଶୁଭ୍ର,ସିନ୍ଦୁରୀତ ଓ ହଳଦୀ ବର୍ଣ୍ଣର ଅରୁଆ ଚାଉଳର ପୁଂଜିରେ ମହାଖଳା ପୁରି ଉଠିଥିବାବେଳେ ବେଲ୍ବ, ଦହନା, ମନ୍ଦାର, ଚମ୍ପା, ଦୁଦୁରା ଓ ପଦ୍ମଫୁଲରେ ପୂଜା ରଂଗୀନ ହୋଇଉଠିଛି । ଷୋହଳ ଭରଣି ଢୋଲ, ନିଶାଣ, ମହୁରୀରେ ମାହେଶ୍ବରୀ ପୀଠ ଦୁଲୁକି ଉଠିଥିବାବେଳେ କୋଭିଡ କଟକଣା ଯୋଗୁଁ ପାରମ୍ପାରିକ ବାଡିଖେଳକୁ ଏଥର ବାରଣ କରାଯାଇଛି ।

Leave A Reply

Your email address will not be published.