ପୁଞ୍ଜିଲାଲ ମେହେରଙ୍କୁ ଜେଲରେ‌ ମାଡ଼ ଅଭିଯୋଗ ଘଟଣା : ସତ କହିବ ଜେଲ୍‌ର ସିସିଟିଭି ଫୁଟେଜ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଲରେ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ ଘଟଣା ଏବେ ଚଚ୍‌ର୍ଚ୍ଚା ଚାଲିଛି । ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲ୍‌ରେ ମାଡ଼ ମରାଯିବା ସହ ନିର୍ୟ୍ୟାତନା ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ ତାଙ୍କ ଓକିଲ । ଗତ ୨୩ ତାରିଖ ରାତିରେ ବଲାଙ୍ଗିର ଜେଲର ଅଧିକ୍ଷକ, ଜେଲର୍ ଓ କିଛି ଅନ୍ତେବାସୀ ପୁଞ୍ଜିଲାଲଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏପରିକି ତାଙ୍କୁ ଉଲଗ୍ନ କରି ତାଙ୍କ ମୁହଁରେ ପରିଶ୍ରା କରାଯାଇଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି ଓକିଲ । ପାଟଣାଗଡ଼ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଏ ନେଇ ତାଙ୍କର ଓକିଲ ଜଣାଇଛନ୍ତି । ଏହାସହ ଚିକିତ୍ସା ବ୍ୟବସ୍ଥା କରିବାକୁ ଓକିଲ କୋର୍ଟକୁ ଅନୁରୋଧ କରିଛନ୍ତି । ଆଜି ପାଟଣାଗଡ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଅପିଲ୍ କଲା ପରେ କୋର୍ଟଙ୍କ ଆଦେଶ ହସ୍ତାନ୍ତର କରିବାକୁ ଓକିଲ ତୀର୍ଥ କୁମାର ସାହୁ ଆଜି ସଂଧ୍ୟାରେ ବଲାଙ୍ଗିର ଜିଲ୍ଲାକାରାଗାରକୁ ଆସିଥିଲେ । ଗତ ୨୦ରୁ ୨୩ ତାରିଖ ପର୍ୟ୍ୟନ୍ତ ଜିଲ୍ଲା ଜେଲ୍‌ର ସିସିଟିଭି ଫୁଟେଜ୍‌ ଆସନ୍ତାକାଲି ପାଟଣାଗଡ ଏସଡିଜିଏମ୍ କୋର୍ଟରେ ଦାଖଲ କରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିବା ନେଇ ଓକିଲ ତୀର୍ଥ କୁମାର ସାହୁ ପ୍ରକାଶ କରିଛନ୍ତି । ତେବେ କାରାଗାରର କର୍ମଚାରୀ ଜେଲ୍‌ର କବାଟ ଖୋଲି ନଥିବା କି ଅଧିକ୍ଷକ‌ଙ୍କ ସହ ଭେଟିବାକୁ ସୁଯୋଗ ଦିଆ ଯାଇନଥିବା ନେଇ ଓକିଲ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.