ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୃଷି ଓ କୃଷକଙ୍କ ହିତକୁ ଆଖି ଆଗରେ ରଖି ଆଜି ପଦ୍ମପୁର ଟାଉନ ହଲ୍‌ଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏଥିରେ ଯୋଗଦାନ କରି କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ପ୍ରାଥମିକ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ । ନିରନ୍ତର କୃଷି ଉତ୍ପାଦନ ଓ କୃଷକଙ୍କ ଆୟ ବୃଦ୍ଧି ହିଁ ସରକାରଙ୍କ ଲକ୍ଷ୍ୟ । ତେଣୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯେପରି ଓଡ଼ିଶାର ସମସ୍ତ ଚାଷୀ ଉଚିତ୍ ଭାବେ ପଞ୍ଜିକୃତ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇଛନ୍ତି । ଆସନ୍ତା ଖରିଫ୍ ଋତୁରେ ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯେପରି ଉଚିତ୍ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେ ବିଷୟରେ ଆଜି ପଦ୍ମପୁର ଟାଉନହଲ୍‌ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶାଳ କର୍ମଶାଳାରେ ଯୋଗଦେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏହା ଉପରେ ସବିଶେଷ ଆଲୋଚନା କରିଛନ୍ତି । ଚଳିତ ଖରିଫ୍ ଋତୁଠାରୁ ଫସଲ ବୀମାରେ ପଞ୍ଜିକୃତ ହେବା ପାଇଁ ଚାଷୀଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ପ୍ଲଟ୍ ପିଛା ମାତ୍ର ୧ ଟଙ୍କା ଦେବାକୁ ପଡିବ । ୨ ହେକ୍ଟର ପର୍ଯ୍ୟନ୍ତ ଚାଷୀମାନଙ୍କର ବୀମା ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ । ତେଣୁ ଏହି ଖରିଫ୍ ଋତୁରେ ବହୁ ସଂଖ୍ୟକ ଚାଷୀ ବୀମାରେ ପଞ୍ଜିକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ପ୍ରାଥମିକ କର୍ମକର୍ତ୍ତାଙ୍କର ଗୁରୁ ଦାୟିତ୍ୱ ରହିଛି । ଶସ୍ୟ କାଟ କରିବା ପାଇଁ କ୍ଷେତ୍ର ନିରୂପଣ, ପାଦମାପ କରିବାର ପ୍ରକ୍ରିୟା, ଅମଳ ପରିମାଣ, ରେଣ୍ଡମ୍ ସେମ୍ପଲିଙ୍ଗ୍, ସେଚିତ ଓ ଅଣସେଚିତ ଜମି ନିରୂପଣ, ଉନ୍ନତ ଓ ଦେଶୀ ଚାଷ ପ୍ରଣାଳୀ ଚୟନ ଆଦି ଭଳି ଜଟିଳ ପ୍ରକ୍ରିୟାଗୁଡ଼ିକ ବିଷୟରେ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେସବୁ ପ୍ରକ୍ରିୟାକୁ ବ୍ୟବହାରିକ ଭାବେ ପ୍ରାଥମିକ କର୍ମକର୍ତ୍ତାମାନେ ମଞ୍ଚରେ କରିକି ଦେଖାଇଥିଲେ । ଆସନ୍ତା ଖରିଫ୍ ଋତୁ ପାଇଁ ପଦ୍ମପୁର ଉପଖଣ୍ଡର ସମସ୍ତ ଚାଷୀ ଯେମିତି ଫସଲ ବୀମା ଅନ୍ତର୍ଭୁକ୍ତ ହେବେ ଓ ନିର୍ଭୁଲ ଭାବରେ ଏହି ସବୁ ପ୍ରକ୍ରିୟାର ଦସ୍ତାବିଜ ପ୍ରସ୍ତୁତ କରାଯିବ ତାହା ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟପ୍ପୋ ବିଶେଷ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କର୍ମଶାଳାରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ପଦ୍ମପୁର ଉପଖଣ୍ଡରେ ଅଧିକ ଉତ୍ସାହର ସହ କାମ କରି ଏହି ବୀମା ଯୋଜନାର ଲକ୍ଷ୍ୟକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କର୍ମଶାଳାରେ ପଦ୍ମପୁର ଏଡିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ । କୃଷି ବିଭାଗ, ରାଜସ୍ୱ ବିଭାଗ ଓ ପରିସଂଖ୍ୟାନ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମକର୍ତ୍ତାମାନେ ଏହି କର୍ମଶାଳାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।

Leave A Reply

Your email address will not be published.