କଂଟେନମେଂଟ ଜୋନ୍ ଉଠାଇବା ପାଇଁ ଅଂଚଳବାସୀଙ୍କ ବିକ୍ଷୋଭ : ଡିଏସପିଙ୍କ ବୁଝାସୁଝା ପରେ ଶାନ୍ତ ହେଲେ ବିକ୍ଷୋଭକାରୀ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସିପକାପଡା କଂଟେନମେଂଟ ଜୋନକୁ ଉଠାଇବା ପାଇଁ ସିଲ୍ ସ୍ଥାନରେ ସଂପୃକ୍ତ ଅଂଚଳର ମହିଳା ପୁରୁଷମାନେ ଆସି ଆଜି ସକାଳୁ ବିକ୍ଷୋଭ କରିଛନ୍ତି । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ବୁଝାସୁଝା କରିଥିଲେ । କିନ୍ତୁ ସେମାନେ ନିଜ ଜିଦରେ ଅଟଳ ରହିବାରୁ ଜିଲ୍ଲା ପ୍ରଶାସନ ଦ୍ୱାରା ହିଁ କଂଟେନମେଂଟ ଜୋନ ଉଠାଇବା କ୍ଷମତା ରହିଛି ବୋଲି ଶ୍ରୀ ମହାପାତ୍ର ବୁଝାଇଥିଲେ । ତଥାପି ଅନ୍ତେବାସୀମାନେ ନିଜ ଜିଦରେ ରହିଥିଲେ ।

କରୋନା ମହାମାରୀ ରୋଗ ଦିନକୁ ଦିନ କଂଟାବାଂଜି ସହରରେ ମଧ୍ୟ ବଢିବାରେ ଲାଗିଛି । ଗତ କିଛିଦିନ ତଳେ କଂଟାବାଂଜି ସହରରେ ଦ୍ରୁତ ଗତିରେ ଦିନକୁ ଦିନ ପଜେଟିଭ ସଂଖ୍ୟା ବଢିବାର ନଜରକୁ ଆସିବା ପରେ ସ୍ଥାନୀୟ ପୌରାଂଚଳ ଓ ଜିଲ୍ଲା ପ୍ରଶାସନ ୱାର୍ଡ ନଂ.୨, ୫, ୧୦ ଓ ୧୧ କୁ କଂଟେନମେଂଟ ଜୋନ ଘୋଷଣା କରି ସିଲ୍ କରିଛନ୍ତି । ସିଲ୍ ହେବା ଦିନଠାରୁ କଂଟେନମେଂଟ ଜୋନବାସୀ ନିଜ ନିଜ ଘରେ ଆବଦ୍ଧ ହୋଇ ରହିଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ସହାୟତା ମିଳୁ ନଥିବା ଅଭିଯୋଗ କରି ଆସୁଛନ୍ତି । ଏପରି କି ୱାର୍ଡ ନଂ.୧୦ ସିପକାପଡା ସଂପୂର୍ଣ୍ଣ ଭାବେ ଦିନ ମଜୁରିଆ ଏବଂ ଗରିବ ଶ୍ରେଣୀ ବସବାସ କରୁଥିବା ଅଂଚଳ ହୋଇ ଥିବାରୁ କଂଟେନମେଂଟ ଜୋନ ହେବାର ଦୁଇ ସପ୍ତାହ ହୋଇଥିଲେ ମଧ୍ୟ ତାହା ଉଠା ନ ଯିବାରୁ ଯଥା ଶୀଘ୍ର ଉଠାଇବା ପାଇଁ ଦାବୀ କରିଛନ୍ତି । ଡିଏସପି ଶ୍ରୀ ମହାପାତ୍ର ଏବଂ ପୋଲିସ ଏଏସଆଇ ଶ୍ରୀ ଖୁଆସ କଂଟେନମେଂଟ ଜୋନରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ସମସ୍ତ ପ୍ରକାର ଅଭିଯୋଗ ଟୋଲ୍ ଫ୍ରି ନଂବର ମାଧ୍ୟମରେ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ବୁଝାଇବା ପରେ ବିକ୍ଷୋଭକାରୀମାନେ ଶାନ୍ତ ହୋଇଥିଲେ ।

Leave A Reply

Your email address will not be published.