କରୋନା କାଳର କରୁଣ ଚିତ୍ର : କରୋନା ସଚେତନତା ଗୀତ ଗାଇ ମାଗୁଛନ୍ତି ଭିକ୍ଷା କଳାକାର ରାମନାଥ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହରୀ ଯୋଗୁଁ ଅନେକ ଲୋକଙ୍କ ଜୀଵନ ଜୀବିକା ଠପ୍‌ ହୋଇ ପଡିଛି । କାମ ଧନ୍ଦା ନ ପାଇ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି । ବଲାଙ୍ଗିର ଜିଲ୍ଲା ମୁରିବାହାଲ୍‌ ବ୍ଲକ ମାଲିଶିରା ଗାଁର ରାମନାଥ ଷାଣ୍ଢ ଏବେ ଗାଁ ଗାଁ ବୁଲି ଦେଉଛନ୍ତି ଗୀତ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା । ତାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଓ ଲୋକେ ତାଙ୍କ ଗୀତକୁ ମନ ଧ୍ୟାନ ଦେଇ ଶୁଣୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ କଳାକାର ଯେକୌଣସି ବି ପରିସ୍ଥିତିରେ କଳାର ହାତ କେବେ ଛାଡେ଼ନାହିିଁ, ଏହା ହେଉଛି ତାହାର ଏକ ବିଶେଷ ଉଦାହରଣ । ଗୋଟିଏ ବାଟ ବନ୍ଦ ହେଲେ କଳାକାରକୁ ଅନ୍ୟ ବାଟ ଦେଖାଇଦିଏ କଳା । ହାତରେ ଖଞ୍ଜଣି ଧରି ଗାଁ ଗାଁ, ସାହି ସାହି ବୁଲି ଦେଉଛନ୍ତି ସଚେତନତା ବାର୍ତ୍ତା ରାମନାଥ । ଦିନେ ସଙ୍ଗୀତକୁ ପେସା କରି ନେଇଥିବା ରାମନାଥ କରୋନା କାଳରେ ଜୀବିକା ହରାଇଛନ୍ତି । ହେଲେ ଦୃଢ଼ ଇଚ୍ଛା ଶକ୍ତି ତାଙ୍କୁ ଆଜିର ସମୟରେ ନୁଆଁ ପରିଚୟ ଦେଇଛି । ରାମନାଥ କହିବା ଅନୁଯାୟୀ, ପରିଣତ ବୟସରେ ବି ବହୁ ଦିନ ହେଲାଣି ପାଲା ଓ ଦଣ୍ଡ ନୃତ୍ୟ ପରିବେଷଣ କରି ପରିବାର ପୋଷଣ କରୁଥିଲି । ହେଲେ କରୋନା ମହାମାରୀ ଯୋଗୁଁ ସବୁ ଠପ୍‌ ହୋଇ ପଡିଥିବା ବେଳେ ଏବେ ଗାଁ ଗାଁ ବୁଲି କରୋନା ସଚେତନତା କରି ଲୋକେ ଚାଉଳ, ପନିପରିବା ଓ କିଛି ଟଙ୍କା ଦେଲେ, ମୁଁ ସେଥିରେ ମୋର ପରିବାର ପ୍ରତିପୋଷଣ କରୁଛି । ରାଜ୍ୟରେ କରୋନା କାୟା ମେଲେଇ ଚାଲିଥିବା ବେଳେ ସଚେତନତାର ବାର୍ତ୍ତା ଦେଉଛନ୍ତି ରାମନାଥ । କରୋନା ସଂକ୍ରମଣର ଭୟାଭୟତା ଏବଂ ଏହାର ପ୍ରତିକାର ଉପାୟକୁ ଗୀତ ମାଧ୍ୟମରେ ସେ ଲୋକଙ୍କୁ ଭେଟି ଦେଉଛନ୍ତି ।ନିଜେ ଗୀତ ଲେଖି ତାକୁ ଗାଇ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଘୁରି ବୁଲୁଛନ୍ତି ରାମନାଥ । ଗୀତ ମାଧ୍ୟମରେ ସେଥିରୁ ଯାହା କିଛି ଭିକ୍ଷା ମିଳେ ତାହାକୁ ନେଇ ପରିବାର ଚଳାଉଛନ୍ତି ରାମନାଥ । ଏମିତି କି ରାମନାଥଙ୍କ ସଚେତନତା ଧର୍ମୀ ସଙ୍ଗୀତ ଲୋକଙ୍କ ମନରେ ଆନନ୍ଦ ଭରି ଦେଉଛି । ସେଇଥି ପାଇଁ ରାମନାଥ ଆସିବା ମାତ୍ରେ ଗାଁ ମୁଣ୍ଡରେ କୋଭିଡ଼ ନିୟମ ମାନି ପିଲାଠୁ ବୁଢା ପର୍ୟ୍ୟନ୍ତ ଜମା ହୋଇ ରାମନାଥଙ୍କ ସଚେତନତା ଗୀତକୁ ଉପଭୋଗ କରିବା ସହ କିଛି ଶିକ୍ଷା ଲାଭ ମଧ୍ୟ କରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ରାମନାଥ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ କଳାକାର ଭାବରେ ତାଙ୍କୁ ପ୍ରାୟେ ସମସ୍ତେ ଜାଣନ୍ତି । କରୋନା ପାଇଁ ସେ ନିଜ କଳା ପ୍ରଦର୍ଶନ କରି ପାରୁନଥିବା ବେଳେ ଏବେ ନିଆର ତରିକାରେ କଳା ପ୍ରଦର୍ଶନ କରି ପରିବାର ଚଳେଇବା ପାଇଁ ସକ୍ଷମ ହୋଇଛନ୍ତି । ତେବେ ଏଭଳି ସଚେତନତା ବାର୍ତାକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ ପ୍ରସଂଶନୀୟ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.