ଖପ୍ରାଖୋଲରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର : ୩୦୦ ଦିନ ପୂରଣ କରିଥିବା ଶ୍ରମିକଙ୍କ ସହ ଭଲ ପ୍ରଦର୍ଶନ କରିଥିବା ପଂଚାୟତକୁ ସମ୍ବର୍ଦ୍ଧନା

  • ହାତ ଗଣତି ଶ୍ରମିକଙ୍କୁ ନେଇ ଜନଶୁଣାଣୀ ଶିବିର ଶେଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ନୂତନ ସଭା ଗୃହଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଆଇସିଡ଼ିଏସ୍‌ ଯୋଜନା, ମମତା ଯୋଜନାର ୨୦୨୦/୨୧ଆର୍ଥିକ ବର୍ଷର ବ୍ଲକସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ରୂପେ ତଥା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ରୂପେ ପଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟା ନନ୍ଦ ସେଠୀ, ସମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷ୍ୟା ନିରୂପମା ପଟେଲ, ଉପାଧ୍ୟକ୍ଷ ଶୁଖିରାମ ସାଣ୍ଢ, ଜିଲାପରିସଦ ସଦସ୍ୟା ସଂଯୁକ୍ତା ମେହେର, ପ୍ରମିଳା ପାଥର, ସିଡିପିଓ ସୁଜାତା ଦୋରା ପ୍ରମୁଖ ଯୋଗଦେଇଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଏପିଓ ସୁଧାଂଶୁ ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ଗାନ୍ଧୀଜୀଙ୍କ ଫୋଟୋ ଚିତ୍ରରେ ପୂଜା ସହ ସଭା ଆରମ୍ଭ ହୋଇଥିଲା । ପ୍ରଥମେ ବିଡିଓ ଜନଶୁଣାଣୀ ଉପରେ ସୂଚନା ପ୍ରଦାନ କରିବା ସହିତ ୨୦୨୦/୨୧ ଆର୍ଥିକ ବର୍ଷରେ ବ୍ଲକରେ ହୋଇଥିବା ମନରେଗା ଯୋଜନାର ପ୍ରକଳ୍ପ ଗୁଡିକ ଉପରେ ଆଲୋକପାତ କରିଥିଲେ, ସେହିପରି ସିଡ଼ିପିଓ ଆଇସିଡିଏସ୍‌ ଓ ମମତା ଯୋଜନାର ବିବରଣୀ ପଠନ କରିଥିଲେ । ଯୋଗାଣ ବିଭାଗ ତାରଫରୁ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ବିବରଣୀ ପଠନ କରାଯାଇଥିଲା । ସାମାଜିକ ସମୀକ୍ଷା ସମୟରେ ଦେଖାଯାଇଥିବା ଅନିୟମିତତା ଉପରେ ବିବରଣୀ ପ୍ରଦାନ କରାଯାଇଥିବା ବେଳେ ଜନ ସାଧାରଣ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ସରପଞ୍ଚ, ସମିତି ସଭ୍ୟା ସଭ୍ୟ ମଧ୍ୟ ନିଜର ମତାମତ ରଖିଥିଲେ ଏହି ଅବସରରେ ମନରେଗା ଯୋଜନାରେ ତିନିଶହ ଦିନ ପୂରଣ କରିଥିବା ୧୯ଜଣ ଶ୍ରମିକଙ୍କୁ ବ୍ଲକ ପ୍ରଶାସନ ତରଫରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଅଧିକ ତିନିଶହ ଦିନ, ଦୁଇଶହ ଦିନ, ଶହେ ଦିନ କାମ ଯୋଗେଇ ଥିବା ପଂଚାୟତ, ସରପଞ୍ଚ, ଜିଆର୍‌ଏସ୍‌, ଗାଁ ସାଥୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜନଶୁଣାଣୀ ଶେଷରେ ଉପଜିଲ୍ଲାପାଳ ସମସ୍ୟା ସମାଧାନ ପାଇଁ ବିଭାଗୀୟ କତ୍ତୃପକ୍ଷଙ୍କୁ କହିଥିଲେ । କାର୍ଯ୍ୟକ୍ରମକୁ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସମୀକ୍ଷକ ଶ୍ରବଣ ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ ।ଶୁଣାନୀରେ ପଂଚାୟତ ପ୍ରତିନିଧି, ଇଓ, ଜିଆର୍‌ଏସ୍‌, ସୁପର ଭାଇଜର, ଅଙ୍ଗନବାଡି କର୍ମୀ, ଯୋଗାଣ ସହାୟକ, ଅଣକୁଶଳୀ ଶ୍ରମିକ, ଭିଆର୍‌ପିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!