ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ଯବାନଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥ ଉପରେ ରବିବାର ଏକ ସଡକ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ସେ ହେଲେ ବୋଡେନ ଥାନା ରୋକାଲ ପଞ୍ଚାୟତ କ୍ଷିରମାଳ ଗାଁର ଚୈତନ୍ୟ ଶବର (୪୦) । ପ୍ରାପ୍ତ ସୂଚନା ମୁତାବକ ଚୈତନ୍ୟ କୋମନା ଥାନା ସୁନାବେଡା ଅଭୟାରଣ୍ୟ ଦାଥୁନାମା ସିଆର୍‌ପିଏଫ୍ କ୍ୟାମ୍ପରେ ଯବାନ ଭାବେ ନିୟୋଜିତ ଥିଲେ । କୌଣସି କାମରେ ସେ ଗାଁକୁ ଯାଇ ଏକ ବାଇକ୍‌ରେ ଫେରୁଥିବା ସମୟରେ କୋମନା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ୩୫୩ନଂ. ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଳା ରେଡ୍ଡୀ ରାଘବେନ୍ଦ୍ର, ସଦର ଥାନା ଅଧିକାରୀ ଦିଲ୍ଲୀପ ସାହୁ ପ୍ରମୁଖ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ରାତ୍ରି ହୋଇଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନାହିଁ ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.