୨ ଲକ୍ଷ ଟଙ୍କା ଯୌତୁକ ପାଇଁ ଆଠମାସର ଗର୍ଭବତୀ ନବବଧୂଙ୍କୁ ପିଟି ପିଟି ହତ୍ୟା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : “ବାପା ମୋତେ ଆଉ ମୋ ଶ୍ୱଶୁର ଘରୁ ତୁମେ ନେବାକୁ ନେହୁରା ହୁଅନି” “ମୋ ଭାଗ୍ୟକୁ ମୋ ଉପରେ ଛାଡ଼ିଦିଅ” ବିବାହର ଚାରି ଦିନ ପରେ ହିଁ ମୁଁ ଭୋଗୁଥିବା ନିର୍ଯ୍ୟାତନା ଏବେ ବଢି ବଢି ଚାଲିଛି” “ପ୍ରତିଦିନର ମାଡ଼ ଗାଳି ଏବେ ମୋର ଦେହସୁହା ହେଇଗଲାଣି” । “ଏବେ ମୁଁ ଆଠ ମାସର ଗର୍ଭବତୀ” “ଆଉ କିଛି ଦିନ ଗଲେ ମୋର ଛୁଆ ଟିଏ ଜନ୍ମ ହୋଇଗଲେ କାଳେ ସୁଧୁରି ଯିବେ ମୋ ସ୍ଵାମୀ ଓ ତାଙ୍କ ପରିବାର ଲୋକେ” । “ହୁଏତ କୋମଳମତି ଛୁଆ ହିଁ ମୋର ଭାଗ୍ୟରେ ପରିବର୍ତ୍ତନ ଆଣି ଦେଇପାରେ” । “ତମେ ଆଉ ବ୍ୟସ୍ତ ହୁଅନି ବାପା ମୁଁ ଜିଇଁଲେ ଏଠି ଜିଇଁବି ମଲେ ଏଠି ମରିବି” । ତାଙ୍କ ବାପାଙ୍କ ସହିତ ରୁନୁର ଏହା ହିଁ ଶେଷ କଥା ଥିଲା ବୋଧେ । “ଆଜି ଆଉ ଏହି ଅଲିଅଳ ଝିଅ ରୁନୁ ଏହି ଦୁନିଆରେ ନାହିଁ । ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ସହରର ରାମକୃଷ୍ଣ ନଗର ଠାରେ ଏହି ଅଭାବନୀୟ ଘଟଣା ଘଟିଛି । ରାମକୃଷ୍ଣ ନଗର ଠାରେ ଭଡ଼ାରେ ରହୁଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସାନଯାଲୋଇ ଗାଁର ଉତ୍ତମ ପାଣିଗ୍ରାହୀଙ୍କ ପୁଅ ଲିଙ୍କନ ପାଣିଗ୍ରାହୀ ତାଙ୍କ ସ୍ତ୍ରୀ ରୁନୁକୁ ଯୌତୁକ ପାଇଁ ପିଟି ପିଟି ମାରି ଦେଇଛି । ଶ୍ୱଶୁର ଘରେ ପ୍ରଚୁର ମାଡ଼ ଓ ନାନା ନିର୍ଯ୍ୟାତନା ପାଇ ଶେଷରେ ଜୀବନ ହାରିଛି ରୁନୁ” । ମେଡିକାଲରେ ଡାକ୍ତର ରୁନୁକୁ ମୃତ ଘୋଷଣା କରିଛନ୍ତି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବ୍ରାହ୍ମଣୀ ଗାଁର ଦାମୋଦର ମିଶ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଯାଲୋଇ ଗାଁରେ ଉତ୍ତମ ପାଣିଗ୍ରାହୀଙ୍କ ପୁଅ ଲିଙ୍କନ ପାଣିଗ୍ରାହୀଙ୍କ ସହିତ ନିଜ ଝିଅ ରୁନୁକୁ ବୈଦିକ ରୀତିନୀତିରେ ଗତ ୨୦/୦୪/୨୦୨୫ରେ ବାହାଘର କରିଥିଲେ । ପାଞ୍ଚଲକ୍ଷ ଟଙ୍କା ସହ ଟିଭି ଫ୍ରିଜ୍ କୁଲର ଇତ୍ୟାଦି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବର ଘର ପକ୍ଷରୁ ଯୌତୁକ ଦାବି ହୋଇଥିଲା । ସେଇ ମୁତାବକ ଝିଅର ବାପା ୨୧/୦୪/୨୫ ତାରିଖ ଦିନ ସମସ୍ତ ସାମଗ୍ରୀ ଦାଖଲ କରିବା ସହ ଫୋନ ପେ’ରେ ଏକ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ଦୁଇଦିନ ପରେ ୨୩/୦୪/ ୨୫ ତାରିଖରେ ଝିଅର ବାପା ପୁଣି ୨ ଲକ୍ଷ ଟଙ୍କା ବର ଘରକୁ ଯାଇ ନଗଦ ଦେଇଥିଲେ । କିନ୍ତୁ ଆଉ ଦୁଇ ଲକ୍ଷ ଟଙ୍କା ଦେଇ ପାରି ନ ଥିଲେ । ସେ ଦିନଠୁ କିନ୍ତୁ ଝିଅର ଭାଗ୍ୟରେ କଳାବାଦଲ ଘୋଟି ଆସିଥିଲା । ବାହାଘରର ଚାରିଦିନ ପରେ ସ୍ଵାମୀ ଓ ଶାଶୂ ଠାରୁ ଆରମ୍ଭ ହୋଇଥିଲା ଝିଅ ରୁନୁ ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା । ଚରମ ସୀମାରେ ନିର୍ଯ୍ୟûତନା ପହଞ୍ଚି ଫଳ ସ୍ଵରୂପ ଗତକାଲି ୧୭/୦୨/୨୬ରେ ଶାରିରୀକ ଯନ୍ତ୍ରଣାରେ ଛଟପଟ ହୋଇ ଆଠମାସର ଗର୍ଭବତୀ ଥିବା ରୁନୁ ଓ ତା ଗର୍ଭରେ ଥିବା ଛୁଆ ସହ ଶେଷରେ ପ୍ରାଣ ହରାଇଲେ । ଏ କଥା ଆଜି ସୋନପୁର ଥାନା ଆଗରେ କାନ୍ଦି କାନ୍ଦି ଝିଅ ରୁନୁର ବାପା ଦାମୋଦର ଓ ମାମୁଁ ବିଶ୍ୱମ୍ବର ମିଡିଆ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ସୋନପୁର ପୁଲିସ ଅଭିଯୁକ୍ତ ସ୍ଵାମୀ ଲିଙ୍କନଙ୍କୁ ଗିରଫ କରିବା ସହ ଶାଶୂ ଶାନ୍ତିଲତାକୁ ମଧ୍ୟ ଥାନାକୁ ଆଣି ତଦନ୍ତ ଜାରି ରଖିଛି । ପତ୍ନିହନ୍ତା ଲିଙ୍କନ ପେଶାରେ ଜଣେ ବେସରକାରୀ ସ୍କୁଲ ଶିକ୍ଷକ ହୋଇଥିବା ବେଳେ ଘରେ କୋଚିଂ କରୁଥିଲା । ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ରେଣୁକା ସୁନା ଓ ଆଇଆଇସି ଯାଦବ ବାଗ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.