om academy

ମହାରାଷ୍ଟ୍ରକୁ ପେଟପାଟଣା ପାଇଁ ଯାଇ ଅଜଣା ଗାଡ଼ି ଧକ୍କାରେ ତେନ୍ତୁଳିଖୁଣ୍ଟିର ଯୁବକଙ୍କ ଶୋଚନୀୟ ମୃତ୍ୟୁ : ସାଙ୍ଗ ଗୁରୁତର

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମହାରାଷ୍ଟ୍ର ରାଜ୍ୟ ପୁନା ସହରକୁ ପେଟପାଟଣା ପାଇଁ ଯାଇ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ସନତ ପୁଟେଲ(୧୯)ନାମକ ଜଣେ ଯୁବକଙ୍କ ଅଜଣା ଗାଡ଼ି ଧକ୍କାରେ ଶୋଚନୀୟ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଘଟିଛି । ତେନ୍ତୁଳିଖୁଣ୍ଟି ଗ୍ରାମର ରଞ୍ଜିତ ପୁଟେଲ ଓ ଗୋମତୀ ପୁଟେଲଙ୍କ ବଡପୁଅ ସନତ ଯୁକ୍ତ ଦୁଇ ପାସ୍‌ କଲା ପରେ କର୍ମସଂସ୍ଥାନ ଉଦ୍ଦେଶ୍ୟରେ ଯାଇ ଗତ ସାତ ମାସ ତଳେ ସିକ୍ୟୁରିଟି ଗାର୍ଡ ରୂପେ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲେ । ଅଧିକ ରୋଜଗାର ପାଇଁ ଗତ ଦୁଇଦିନ ତଳେ ସେ ନିଜ ସାଙ୍ଗମାନଙ୍କ ସହିତ ପୁନାକୁ ଯାଇଥିଲେ । ସେଠାରେ ଗତ ରବିବାର ସନ୍ଧ୍ୟା ଆଠଟା ବେଳେ ବଜାର ଯିବା ପାଇଁ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସନତଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗଙ୍କ ହାତ ଭାଙ୍ଗି ସେ ଆହତ ହୋଇଥିଲେ । ପୁନା ପୁଲିସ ପହଞ୍ଚି ଶବ ଜବତ କରି ପରିବାର ଲୋକଙ୍କୁ ଖବର ଦେବା ସହ ସିସିଟିଭି ଯାଞ୍ଚ କରି ଅଧିକ ତଦନ୍ତ ଜାରି ରଖିଛି । ପରିବାର ଶବ ଆଣିବାକୁ ଅସମର୍ଥ ହେବାରୁ ପୁନାରେ ହିଁ ମୃତଦେହକୁ ବ୍ୟବଛେଦ ପରେ ଦାହ କରାଯାଇଥିବା ପରିବାର ସୂତ୍ରରୁ ଜଣାପଡିଛି । ଅତ୍ୟନ୍ତ ଗରିବ ରଞ୍ଜିତଙ୍କ ପରିବାରରେ ଆଉ ଜଣେ ପୁଅ ଓ ଝିଅ ଥିବାବେଳେ ଏକମାତ୍ର ରୋଜଗାରିଆ ପୁଅଙ୍କୁ ହରାଇ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.