ରାଜୀବନଗରରୁ ବେଆଇନ ଭାବେ ଦେଶୀ ପିସ୍ତଲ ଓ ଭୁଜାଲି ଦେଖାଉଥିବା ଯୁବକଙ୍କୁ ଗିରଫ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ ଭାବେ ଦେଶୀ ପିସ୍ତଲ ଓ ଭୁଜାଲି ଦେଖାଇ ଆଖପାଖ ଲୋକଙ୍କୁ ଭୟଭୀତ କରୁଥିବା ଜଣେ ଯୁବକଙ୍କୁ ଆଜି ବଲାଙ୍ଗିର ଟାଉନ ପୋଲିସ ଗିରଫ କରିଥିବା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସହରର ରାଜୀବନଗର ନିବାସୀ ଆଲୋକ ଓରଫ ନୀଳକଣ୍ଠ ପଟ୍ଟନାୟକ(୩୦) ନିଜ ପରିବାର ତଥା ଆଖପାଖ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଧମକ୍‌ ଚମକ୍‌ ଦେଉଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା କେସ୍‌ ନଂ. ୧୬୭/୨୩, ଦଫା ୩୪୧/ ୨୯୪/ ୩୨୩/ ୪୨୭/୫୦୬ ଆଇପିସି/ ୨୫/୨୭ ଆର୍ମସ୍‌ ଆକ୍ଟ ଆଧାରରେ ଏକ ମାମାଲା ରୁଜୁ କରି ଟାଉନ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଯୁବକଙ୍କ ଠାରୁ ଏକ ଦେଶୀ ପିସ୍ତଲ ଏବଂ ଏକ ଭୁଜାଲି ଜବତ ହୋଇଥିବା ମଧ୍ୟ କୁହାଯାଇଛି । ତେବେ ସୂଚନାରେ ଏହା ମଧ୍ୟ କୁହାଯାଇଛି ଯେ, ସଂପୃକ୍ତ ଅଭିଯୁକ୍ତ ଜଣକ ପୂର୍ବରୁ ୯ ବର୍ଷ କାଳ ଜେଲ୍‌ରେ ସଜା କାଟି ଫେରିବା ପରେ ପୁଣି ଦୁଇଟି ମାମାଲାରେ ଜେଲ୍‌ ହାଜତକୁ ଯାଇଥିଲେ । ତେବେ ବେଲ୍‌ରେ ଆସି ପୁଣି ଉନ୍ମତ୍ତ କାଣ୍ଡ ଭିଆଁଇଥିବାରୁ ପୋଲିସ ତାଙ୍କୁ ଆଜି ଗିରଫ କରିଛି ।

Leave A Reply

Your email address will not be published.