
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ୱାମୀଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କଲା ସ୍ତ୍ରୀ । ପ୍ରେମିକ ସହ ପ୍ଲାନିଂ କରି ସ୍ୱାମୀଙ୍କ ଜୀବନ ନେଲା । ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ କାଳେ କାଳେ ଯୁଗେ ଯୁଗେ ଧର୍ମପତ୍ନୀ ଯମରାଜ ସହ ମଧ୍ୟ ଯୁଝିବାକୁ ପ୍ରସ୍ତୁତ ହେଉଥିବା ବେଳେ ସ୍ୱାମୀ ପାଇଁ ମୃତ୍ୟୁର ତାଣ୍ଡବ ରଚିଲା ନିଜେ ଧର୍ମପତ୍ନୀ । ବିବାହ ପୂର୍ବର ପ୍ରେମ ସଂପର୍କକୁ ଶ୍ରେୟ ଦେଇ ସ୍ୱାମୀଙ୍କୁ ରାସ୍ତାରୁ ହଟାଇଦେଲା । ପତ୍ନୀ ନାଁରେ କଳଙ୍କ ସାଜିଲା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ନାନା ପ୍ରକାର ପୂଜା ଅର୍ଚ୍ଚନା, ଉପବାସ ରଖୁଥିବା ବେଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଥୁବୁଡ଼ିଙ୍ଗ୍ ଗାଁରେ ଦେଖିବାକୁ ମିଳିଛି ଏହାର ଓଲଟା ଚିତ୍ର । ଅଗ୍ନିକୁ ସାଖୀ ରଖି ସାତ ଫେରା ଦେଇ ସ୍ୱାମୀଙ୍କ ହାତ ଧରିଥିବା ଧର୍ମପତ୍ନୀ ପ୍ରେମକଙ୍କୁ ଲଗାଇ ସ୍ୱାମୀଙ୍କୁ ହତ୍ୟା କରିଛି । ଏହି ଘଟଣା ଟିଟିଲାଗଡ଼ ଅଂଚଳରେ ଚହଳ ସୃଷ୍ଟି କରିଛି । ଗତକାଲି ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ସାରା ଅଂଚଳରେ ସଧବା ମହିଳାମାନେ ସାବିତ୍ରୀ ବତ୍ର ପାଳନ କରିଥିବା ବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ପତିପତ୍ନୀଙ୍କ ପବିତ୍ର ସଂପର୍କ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ସଂପର୍କରେ ଗତ ରାତିରେ ଏକ ସାମ୍ବଦିକ ସମ୍ମିଳନୀରେ ସଂପୂର୍ଣ୍ଣ ସୂଚନ ଦେଇଛନ୍ତି ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର । ମୃତକ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଜେପୁର ପେକ୍ସରେ ପିଅନ କାମ କରୁଥିବା ଥୁବୁଡ଼ିଙ୍ଗ୍ ଗାଁର ସୂର୍ଯ୍ୟମଣି ମାଝୀଙ୍କ ପତ୍ନୀ ପ୍ରମୋଦିନୀ ମାଝୀଙ୍କ ବିବାହ ପୂର୍ବରୁ ପ୍ରେମ ସଂପର୍କ ରହିଥିଲା ମୁଖ୍ୟ ଅଭିଯୁକ୍ତ ଶରତ ଓରଫ୍ ଯୁଧିଷ୍ଠିର ପଟେଲ୍ଙ୍କ ସହ । ବିବାହ ପରେ ମଧ୍ୟ ଏହି ପ୍ରେମ ସଂପର୍କ ଜାରି ରହିଥିଲା । ତେବେ ଏଥିଯୋଗୁଁ ସୂର୍ଯ୍ୟମଣି ଓ ପ୍ରମୋଦିନୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଶେଷରେ ପ୍ରମୋଦିନୀ କାଳ ସାଜିଲେ ନିଜ ପତିଙ୍କ ପାଇଁ । ପ୍ରେମିକ ଶରତ ସହ ମିଶି ପ୍ଲାନିଂ କଲେ ସ୍ୱାମୀଙ୍କୁ ରାସ୍ତାରୁ ହଟେଇ ଦେବାକୁ ଏବଂ ପ୍ରେମିକ ନିଜ ସହଯୋଗ ଅଶୋକ ହର୍ପାଲ୍ ସହ ମିଶି ଘଟଣାଇଲେ ବର୍ବର ହତ୍ୟାକାଣ୍ଡ । ଅନ୍ୟ ଦିନ ପରି ଆଜି ମଧ୍ୟ ବିଜେପୁର ପେକ୍ସରେ କାମ ସାରି ସୂର୍ଯ୍ୟମଣି ନିଜ ମୋଟର ସାଇକେଲ୍ ସାହାଯ୍ୟରେ ମଧ୍ୟାହ୍ନ ଭୋଜନ ପାଇଁ ଯାଉଥିବା ବେଳେ ଘୁଘୁରପଲା ଗାଁକୁ ଯିବା ବାଟରେ ରହିଥିବା ଏକ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅତର୍କିତ ଭାବେ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପ୍ରଚଣ୍ଡ ଆକ୍ରମଣରେ ଚେତାଶୂନ୍ୟ ହୋଇ ଘଟଣାସ୍ଥଳରେ ପଡ଼ି ରହିଥିଲେ ସୂର୍ଯ୍ୟମଣି । କୌଣସି ସୂତ୍ରରୁ ଖବର ପାଇ ସୂର୍ଯ୍ୟମଣିଙ୍କ ବଡ଼ ଭଉଣୀ ପଦ୍ମାବତୀ ମାଝୀ ମୁମୁର୍ଷୁ ଅବସ୍ଥାରେ ନିଜ ଭାଇଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଆଡ୍ମିଟ୍ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୂର୍ଯ୍ୟମଣିଙ୍କ ମୃତ୍ୟୁ ଘଟିଥିଲା । ଏ ସଂପର୍କରେ ଗତ ୫ ତାରିଖ ରାତିରେ ଅଭିଯୋଗ କରିଥିଲେ ମୃତକ ସୂର୍ଯ୍ୟମଣିଙ୍କ ବଡ଼ ଭଉଣୀ ପଦ୍ନାବତୀ । ଟିଟିଲାଗଡ଼ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତନାଘନା ତଦନ୍ତ କରିଥିଲା । ଆଇଅଇସି ଅବନୀ ସାହୁ ନିଜ ପୋଲିସ ଟିମ୍ ସହ ମିଶି ତୁରନ୍ତ ଅପରାଧୀଙ୍କ ପାଖକୁ ପହଂଚିବା ପାଇଁ ଜାଲ ବିଛେଇ ସଫଳ ହୋଇଥିଲେ । ଘଟଣାକୁ ୨୪ ଘଂଟା ନପୂରୁଣୁ ମୁଖ୍ୟ ଅଭିଯୁକ୍ତ ଶରତ ଓରଫ୍ ଯୁଧିଷ୍ଠିର ପଟେଲ, ସହଯେଗୀ ଅଶୋକ ହର୍ପାଲ୍ ଓ ମୃତକଙ୍କ ଘାତକ ପତ୍ନୀ ପ୍ରମୋଦିନୀ ମାଝୀଙ୍କୁ ଗିରଫ୍ କରି ସିନ୍ ରିକ୍ରିଏସନ୍ କରିବା ସହ କୋର୍ଟ ଚାଲାଣ କରିଛି ।