ଅଏଁଲାସାରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ : ପୋଡି ଦେଲେ ୫ ବଖରା ଘର, ଜଣେ ଗୁରୁତର : ନ୍ୟାୟ ଦାବୀରେ ଏସ୍‌ପି ଅଫିସ ଘେରିଲେ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁଇଁନ୍ତଳା ଥାନା ଅନ୍ତର୍ଗତ ଆଇଲାସାରି ଗ୍ରାମରେ ଗୋଷ୍ଠୀ ବିବାଦ ପୁଣି ମୁଣ୍ଡ ଟେକିଛି । ମଙ୍ଗଳବାର ରାତିରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ଏକ ମାରପିଟ ଘଟଣା ପରେ ଗ୍ରାମର ଗୋଟିଏ ଗୋଷ୍ଠୀ ଯାଇ ଅନ୍ୟ ଗୋଷ୍ଠୀର ୫ ବଖରା ଘର ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଉକ୍ତ ଘଟଣାରେ ପୋଲିସ ମିଥ୍ୟା ମାମଲାରେ ଗ୍ରାମର ୩୨ ଜଣଙ୍କୁ ଗିରଫ କରିବା ସହିତ ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ନ୍ୟାୟ ଦାବୀରେ ଆଜି ସ୍ଥାନୀୟ ଏସ୍‌ପି ଅଫିସ ଘେରାଉ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଅଏଁଲାସାରି ଗ୍ରାମର ଉକାଲୁ ସା’ କୌଣସି କାମରେ ବଲାଙ୍ଗିର ଆସି ଗାଁକୁ ଫେରୁଥିଲେ । ଫେରିବା ରାସ୍ତାରେ ଅଏଁଲାସାରି ଗ୍ରାମର ନିରଞ୍ଜନ ବନଛୋର ତାଙ୍କ ସହେଯାଗୀ କମ୍ପାଉଣ୍ଡର ଚନ୍ଦର, ଉମ୍‌ରିଆ ଗ୍ରାମର ନିଶା ନେଗୀ, ମନ ନେଗୀ ଓ ସୁବୋଧ ନେଗୀ ହଠାତ୍‌ ଉକାଲୁଙ୍କ ଉପରେ ଗୋଷ୍ଠୀବଦ୍ଧ ଆକ୍ରମଣ କରି ଫେରାର୍‌ ମାରିଥିଲେ । ଖବର ପାଇ ଅଏଁଲାସାରି ଗ୍ରାମବାସୀ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଉକାଲୁଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିଲେ । ରାତିରେ କୌଣସି ମତେ ନିରଞ୍ଜନ ବନଛୋର ଓ ସହେଯାଗୀଙ୍କ ଘରେ ନିଆଁ ଲାଗିଯାଇଥିବା ବେଳେ ଉକ୍ତ ମାମଲରେ ପୋଲିସ ୩୨ ଜଣ ନିରୀହ ଗ୍ରାମବାସୀଙ୍କୁ ରାତାରାତି ଉଠାଇ ଆଣିବା ସହ ଗ୍ରାମବାସୀଙ୍କ ତାଟି କବାଟ ଭାଙ୍ଗି ଦେଇଥିବା ସରପଞ୍ଚ ପାର୍ବତି ବେନିଆଁ, ଇଲାବତୀ ମଲ୍ଲିକ, ମାନିନୀ ସାହୁ, ଶ୍ରୀବଚ୍ଛ ସାହୁଙ୍କ ସହିତ ଶତାଧିକ ଅଏଁଲାସାରି ଗ୍ରାମବାସୀ ଅଭିଯୋଗ କରିବା ସହ ନ୍ୟାୟ ଦାବୀରେ ଏସ୍‌ପି ଅଫିସ ଘେରିଛନ୍ତି । ଅନ୍ୟ ପକ୍ଷରେ ଅଏଁଲାସାରି ଗ୍ରାମବାସୀ ଅକାରଣେ ନିରଞ୍ଜନ, କମ୍ପାଉଣ୍ଡର ଓ ସହେଯାଗୀଙ୍କ ଘର ଉପରେ ଆକ୍ରମଣ କରି ଘର ପୋଡି ଦେଇଥିବା ନିରଞ୍ଜନ ଓ ସହେଯାଗୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଗ୍ରାମାବାସୀ ଓ ବଲାଙ୍ଗିର ଏସ୍‌ପିଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଥିବା ବେଳେ ଅପରାହ୍ନ ପରେ ଗ୍ରାମବାସୀ ଧାରଣାରୁ ଓହରିଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଦୀର୍ଘ ଦିନ ହେବ ଅଏଁଲାସାରି ଗ୍ରାମର ବନ୍ଧ ଠିକାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ପୂର୍ବରୁ ଗୋଟିଏ ଗୋଷ୍ଠୀ ଉକ୍ତ ଠିକା ପାଇ ଆସୁଥିବାବେଳେ ଏଥର ଉକ୍ତ ବନ୍ଧ ଠିକା ଅଏଁଲାସାରି ଗ୍ରାମର ଦୁଇ ଏସ୍‌ଏଚ୍‌ଜି ଗୃପକୁ ମିଳିଛି । ଫଳରେ ଗ୍ରାମର ଉଭୟ ଗୋଷ୍ଠୀ ମଧ୍ୟରେ ପୁଣି ତିକ୍ତତା ଉପୁଜି ଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ବନ୍ଧଠିକା ହିଁ ଘଟଣାର ମୁଖ୍ୟ କାରଣ ବୋଲି ମିଳିଥିବା ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.