ଗୁରୁତର ଅଭିଯୋଗ : ଦୁର୍ନୀତିର ଗନ୍ତାଘର ପାଲଟିଛି ଅମ୍ବାଭୋନା ବ୍ଲକ

ବରଗଡ, (ନିରୋଜ କୁମାର ପାଣୀ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଉନ୍ନତି ସକାଶେ ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ 5T ତଥା ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ତାହାକୁ କାର୍ୟ୍ୟକାରୀ କରିବା ନିମନ୍ତେ ବ୍ଲକ ପ୍ରଶାସନ ଅଧିକାରୀଙ୍କ ମନୋବଳ ନାହିଁ, ଯାହା ପାଇଁ ଦୁର୍ନୀତି ଆଜି ଚରମ ସୀମାରେ ପହଂଚିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏମିତି ଏକ ଘଟଣା ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅମ୍ବାଭୋନା ଗ୍ରାମରେ ଦେଖିବାକୁ ମିଳିଛି । ଅମ୍ବାଭୋନା ଏବଂ କମ୍‌ହେଇପାଲି ରାସ୍ତାକୁ ଲାଗି ରହିଥିବା ଲାମ୍ବୀଧାରା ଚେକଡେମ୍‌, ଯାହା କି କିଛି ମାସ ଆଗରୁ ତିଆରି ହୋଇଥିଲା । ନି୍ୱ୍‌ନ ମାନର କାମ ଯୋଗୁଁ ଆଜି ସେଇ ଚେକଡ୍ୟାମ ଭୁଷୁଡ଼ି ପଡ଼ିଛି ଏବଂ ଦେଖିବାକୁ ମିଳିଛି ଯେ, ବାଲି ବସ୍ତା ଗୁଡିକ ଡ୍ୟାମ କାନ୍ଥରୁ ବାହାରୁଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି କାର୍ୟ୍ୟଟି ପଞ୍ଚାୟତିରାଜ ବିଭାଗ ଅଧୀନରେ ସଂଚାଳିତ ହେଉଛି ଏବଂ ନିଶ୍ଚିତ ଭାବେ ଏଥିରେ ସ୍ଥାନୀୟ ପଂଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ଜ୍ଞାତସାରରେ ହୋଇଛି, ଯାହାକୁ କନିଷ୍ଠ ଯନ୍ତ୍ରୀ ପ୍ରତ୍ୟକ୍ଷ ଭାବରେ ତଦାରଖ କରିଥିବେ । ଯେହେତୁ ଏହା ବ୍ଲକର ସଦର ଗ୍ରାମରେ କାମ ହେଉଛି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ଏହା ବିଷୟରେ ଜାଣିଥିବେ । ତେବେ ସମସ୍ତେ ମିଶି ଲୋକଙ୍କ ଟିକସ ଦିଆ ପାଇସାକୁ କିଭଳି ଭାବରେ ହଡ଼ପ କରି ନିମ୍ନମାନର କାମ କରୁଥିଲେ, ତାହା ଜାଣି ଆଶ୍ଚର୍ୟ୍ୟ ଲାଗୁଛି ବୋଲି ଆଲୋଚନା ହେଉଛି । ଅମ୍ବାଭୋନା ବ୍ଲକ ଓଡ଼ିଶାରେ ଥାଇ ମଧ୍ୟ ‘ମୋ ସରକାର’ ଏବଂ ‘5T’ ର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ । ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭବମୂର୍ତିକୁ ତଳିତଲାନ୍ତ କରିବା ପାଇଁ ପଛାଉ ନାହାନ୍ତି ଅମ୍ବାଭୋନା ବ୍ଲକ ପ୍ରଶାସନ ବୋଲି ସାଧାରଣରେ ଚର୍‌ଚା ଜୋର୍‌ ଧରିଛି ।

ସବୁଠାରୁ ବିଡ଼ମ୍ବନାର ବିଷୟ ଯେ. ଅମ୍ବାଭୋନା ବ୍ଲକ ଭଟଲି ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି ଏବଂ ଏଠାରେ ସୁଶାନ୍ତ ସିଂଙ୍କ ଭଳି ସ୍ୱଚ୍ଛ ଭାବମୂର୍ତି ସମ୍ପନ୍ନ ମନ୍ତ୍ରୀ ଅଛନ୍ତି । କିନ୍ତୁ ତାଙ୍କୁ ମଧ୍ୟ ଏଠାକାର ବ୍ଲକ ପ୍ରଶାସନିକ ଅଧିକାରୀମାନେ ହେୟଜ୍ଞାନ କରୁଛନ୍ତି ଭଳି ମନେ ହେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଠ ମନ୍ତ୍ରୀ ମଧ୍ୟରୁ ଜଣେ ସୁଶାନ୍ତ ସିଂ ଥାଇ ମଧ୍ୟ ଏହି ପ୍ରଶାସନିକ ଅଧିକାରୀଙ୍କ ଦୁଃସାହସିକ କାର୍ୟ୍ୟକୁ ଘୋର ନିନ୍ଦା କରିବା ସହ ଖୋଦ ମନ୍ତ୍ରୀ ଲୋକଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଅମ୍ବାଭୋନା ବ୍ଲକ ପ୍ରଶାସନ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ମହଲ ଦାବୀ କରୁଛନ୍ତି ।

Leave A Reply

Your email address will not be published.