ମୁରିବାହାଲ ବ୍ଲକସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳନ ପାଇଁ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସର ପାଳନର ଅବ୍ୟବହିତ ପୂର୍ବରୁ ତଥା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଏକ ମାରାଥନ ଦୌଡ ପ୍ରତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ଘୁଷୁରାମୁଣ୍ଡା ଗ୍ରାମ ଛକରୁ ଆରମ୍ଭ ହୋଇଥିବା ଏହି ମାରାଥନ ଦୌଡରେ ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ ଓ ଯୁକ୍ତ ଦୁଇର ଉଭୟ ବାଳକ ଓ ବାଳିକା ବିଭାଗର ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ପଞ୍ଚାୟତ ହାଇସ୍କୁଲ ପର୍ଯ୍ୟନ୍ତ ମାରାଥନ ଦୌଡ଼ିଥିଲେ । ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ପ୍ରତିଯୋଗିତାକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏଥିରେ ବ୍ଲକ ଅର୍ଥ ଅଧିକାରୀ ଘେନୁରାମ୍ ତାଣ୍ଡି, ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ, ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ର, ଓଏଭି ଅଧ୍ୟକ୍ଷ ପୀତାମ୍ବର ବେଶ୍ରା, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଏସ୍‌ଏସ୍‌ଓ ରିଙ୍କୁ ମେହେର, ବିଆର୍‌ସି ଶ୍ରୀକାନ୍ତ ଜେନା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବ୍ଲକ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଖେଳ ଶିକ୍ଷକ ଶରତ ପଧାନ, ରାଧେକୃଷ୍ଣ ବଘାର ଓ ସ୍ୱାଗତ ମେହେର ମାରାଥନ୍ ଦୌଡ ପରିଚାଳନା କରିଥିଲେ । ଏହି ମାରାଥନ ଦୌଡ ପ୍ରତିଯୋଗୀତାର ବାଳିକା ବିଭାଗରେ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ସୋନାଲି ଧରୁଆ ପ୍ରଥମ, ଗୁଞ୍ଜମତି ହଂସ ଦ୍ଵିତୀୟ, ଲିଜୁ ଗହୀର ତୃତୀୟ ଓ ଜ୍ୟୋସ୍ନା ନାୟକ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ସେହିପରି ବାଳକ ବିଭାଗରେ ଯୁକ୍ତ ଦୁଇର ଛାତ୍ର ସୁଦାମ କୁଆଁର ପ୍ରଥମ, କ୍ଷୀରନାଥ ଭୋଇ ଦ୍ଵିତୀୟ, ଆଦର୍ଶ ବିଦ୍ୟାଳୟର ଛାତ୍ର ଶତୃଘ୍ନ ଛୁରା ତୃତୀୟ ଓ ସୁନୀଲ ବାଗ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ସମସ୍ତ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଗୁରୁବାର ଅନୁଷ୍ଠିତ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସରେ ପୁରସ୍କୃତ କରାଯିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ହାଇସ୍କୁଲ୍ ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକ କର୍ମଚାରୀ ସହଯୋଗ କରିଥିବା ବେଳେ ଥାନା ଏସ୍‌ଆଇ ପ୍ରମୋଦ କୁମାର ପଧାନଙ୍କ ନେତୃତ୍ୱରେ ଥାନା ପୁଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା । ବ୍ଲକ ଯୋଜନା ସହାୟକ ରାଜ କିଶୋର ସିଂ ବାବୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.