jayashree

ରଜତ ପ୍ରଧାନ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପ୍ରେମିକାଙ୍କୁ ଗିରଫ୍‌ କରିବା ପାଇଁ ଦାବୀ କଲେ ଅଏଁଲାଚୁଆଁ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ଅଏଁଲାଚୁଆଁ ଗାଁର ରଜତ ପ୍ରଧାନ ହତ୍ୟାକାଣ୍ଡରେ ନିକଟରେ ବଲାଙ୍ଗିର ପୋଲିସ ୪ ଜଣ ନାବାଳକଙ୍କ ସହ ୬ ଜଣଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ବେଳେ ଅଏଁଲାଚୁଆଁ ଗ୍ରାମବାସୀ ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଗ୍ରାମର ଏହି ଘଟଣାରେ ସଂପୃକ୍ତ ଥିବା ପ୍ରେମିକାଙ୍କୁ ଗିରଫ୍‌ କରିବା ପାଇଁ ଦାବୀ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ରଜତ ହତ୍ୟାକାଣ୍ଡରେ ସିଲେଟ୍‌ପଡ଼ା ଗାଁର ୬ ଜଣ ଅଭିଯୁକ୍ତ ରହିଥିବା ବେଳେ ଯାହାଙ୍କ ନିର୍ଦ୍ଦେଶରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି, ତାହାଙ୍କୁ ଏଯାଏଁ ପୋଲସି ଗିରଫ୍‌ କରିନାହିଁ । ତେବେ ତାଙ୍କୁ ତୁରନ୍ତ ଗିରଫ୍‌ କରିବା ପାଇଁ ଦାବୀ କରାଯାଇଛି । ଅନ୍ୟପକ୍ଷରେ ଏ ଦିଗରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଏହି ଘଟଣାରେ ଅନ୍ୟ ଯାହାର ବି ସଂପୃକ୍ତି ରହିଛି, ତାକୁ ନିଶ୍ଚୟ ଗିରଫ୍‌ କରାଯିବ ବୋଲି ଗ୍ରାମବାସୀଙ୍କୁ ପୋଲିସ ପକ୍ଷରୁ ଆଶ୍ୱାସନା ଦିଆଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ୨୪ ତାରିଖ ଦିନ ସଂଧ୍ୟାରେ ରଜତଙ୍କୁ ତାଙ୍କ ଗାଁ ଅଏଁଲାଚୁଆଁରୁ ଉଠାଇ ଆଣିବା ପରେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ହତ୍ୟା କରି ତାଙ୍କ ମୃତଦେହକୁ ଖୁଜେଲପାଲି ନିକଟସ୍ଥ ରେଳ ଟ୍ରାକ୍‌ରେ ଫୋପାଡ଼ି ଦେଇଥିଲେ । ପ୍ରଥମେ ଏହି ମାମଲାର ତଦନ୍ତ ଦାୟିତ୍ୱ ବଲାଙ୍ଗିର ଜିଆର୍‌ପି ହାତରେ ଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବଲାଙ୍ଗିର ପୋଲିସ ତଦନ୍ତ ଦାୟିତ୍ୱ ଗ୍ରହଣ କରି ତୁରନ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିବା ସହ ସହରରୁ ପ୍ରାୟ ୩୦ କିଲୋମିଟର ଦୂରବର୍ତ୍ତୀ ସିଲେଟପଡ଼ା ଗାଁ ପାଖାପାଖି ଏକ ନିର୍ଜନ ସ୍ଥାନରେ ରହିଥିବା ଅବ୍ୟବହୃତ କୂଅ ଭିତରୁ ରଜତଙ୍କ ମୋବାଇଲ୍‌ ଫୋନ୍‌ ଖୋଜି ବାହାର କରିଥିଲା । ପୁଣି ରଜତଙ୍କୁ ହତ୍ୟା କରିବାରେ ବ୍ୟବହାର ହୋଇଥିବା ଏକ ଖଣ୍ଡାକୁ ବି ପୋଲିସ ସେହି ପାଖାପାଖି ସ୍ଥାନରୁ ଜବତ୍‌ କରିଥଲା । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଏହି ହତ୍ୟାକାଣ୍ଡ ସଂପର୍କରେ ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.