ଭୁବନେଶ୍ୱର, (କେପିଏନ୍ଏସ୍) : ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟୀକାକରଣ ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଟୀକା ନେବା ପାଇଁ ଆଜି ଅପରାହ୍ନ ୪ଟାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ । କୋଓ୍ଵିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ କିମ୍ଵା ଉମଙ୍ଗ୍ ଆପ୍ ଜରିଆରେ ଟୀକା ପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ । ଆଜି ଅପରାହ୍ନ ୪ଟା ପରଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କେବଳ ଉତ୍ପାଦନ କମ୍ପାନୀଠାରୁ ରାଜ୍ୟକୁ ଟୀକା ଆସିବା ପରେ ଟୀକାକରଣ ଆରମ୍ଭ ହେବ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହି ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷର ନାଗରିକମାନେ ଟୀକା ନେଇ ପାରିବେ ।