ଚର୍ଚ୍ଚାର ବିଷୟ : ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଫଲାଇନ ମାଟ୍ରିକ ପରୀକ୍ଷା ନିମନ୍ତେ ୫୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ମାଟ୍ରିକ ଫଳାଫଳରେ ଅସନ୍ତୁଷ୍ଟ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପୁନଃ ଆବେଦନ କରିଛନ୍ତି । ତେବେ ୟା’ ମଧ୍ୟରେ ଅଫଲାଇନରେ ଓଡ଼ିଶା ବିଧାନସଭାର ଜଣେ ସଦସ୍ୟ ମାଟ୍ରିକ ପରୀକ୍ଷା ଦେଇ ଇତିହାସ ରେକର୍ଡ କରିଛନ୍ତି । ସେ ହେଉଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ଭଞ୍ଜନଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଆଜିଠାରୁ ତାଙ୍କର ପରୀକ୍ଷା ଆରମ୍ଭ ହୋଇଛି । ୧୯୭୨ ମସିହା ଅକ୍ଟୋବର ୨ ତାରିଖରେ ପବିତ୍ର ଗାନ୍ଧୀ ଜୟନ୍ତୀ ଦିବସରେ ଜନ୍ମିତ ଶ୍ରୀ ସ୍ୱାଇଁ ୨୦୦୯ରୁ ସୋରଡା ବିଧାୟକ ଭାବେ ନିର୍ବାଚିତ ହୋଇ ଗଞ୍ଜାମ ରାଜନୀତିରେ ଏକ ନୂଆଁ ସଫଳତା ଆଣିଛନ୍ତି । ବିଧାୟକ ପ୍ରତିନିଧି ଭାବେ ପ୍ରତିଦ୍ୱନ୍ଦିତା କରିଆସି ବିଜୟ ଲାଭର ଗୌରବ ରକ୍ଷା କରିବା ସାଂଗକୁ ବିଧାୟକ ହୋଇ ବିଧାନସଭାରେ ସେ ହାଟ୍ରିକ ହେବା ଗର୍ବ ଓ ଗୌରବ ଗାଥା ଆଣିଥିବା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଜି ଯାଏଁ କିନ୍ତୁ ମାଟ୍ରିକ ପାସ ହୋଇପାରି ନାହାନ୍ତି । ଏହା ଯିଏ ଶୁଣିଲେ ସଭିଙ୍କ ମନକୁ ଆନ୍ଦୋଳିତ କରେ । ଯାହା ହେଉ ସେ ସୁଯୋଗ ଖୋଜି ଅଫଲାଇନରେ ପରୀକ୍ଷା ଦେଉଥିବା ହେତୁ ତାଙ୍କ ଆଞ୍ଚଳିକ ବିଜେଡି ମହଲରେ ନେତୃବର୍ଗ ଓ ତାଙ୍କ କର୍ମୀ ଖୁସିବ୍ୟକ୍ତ କରିଛନ୍ତି ବୋଲି କୁହାଯାଏ । ନିଶ୍ଚିତ ଭାବେ ଏ ଥରକରେ ଉତ୍ତୀର୍ଣ୍ଣ ହୋଇଯିବା ଆଶା କରାଯାଇଛି । ତାହାଙ୍କ ସହକର୍ମୀମାନେ ତାଙ୍କ କୃତକାର୍ଯ୍ୟ ଓ ସଫଳତା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ କାମନା କରିଥିବା ଜଣାଯାଇଛି ।

Leave A Reply

Your email address will not be published.