ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶା ତଥା ପଶ୍ଚିମ ଓଡିଶା ପାଇଁ ଗୌରବ ଆଣିଛି ଲୁପ୍ତପ୍ରାୟ ବାଗଡି ଖେଳ । ବହୁବର୍ଷ ପୂର୍ବରୁ ଏହି ଖେଳକୁ ପଶ୍ଚିମଓଡିଶାର ଝିଅ/ପୁଅମାନେ ଖେଳିଆସୁଛନ୍ତି । କିନ୍ତୁ ଏବେ ଆଧୁନିକତାର ଛାପରେ ଏହି ଖେଳ ପ୍ରାୟ ଲୁପ୍ତ ହୋଇଗଲାଣି । ମୋବାଇଲ, ଟିଭିର ପ୍ରଭାବରେ ଏହି ଅଞ୍ଚଳର ପାରମ୍ପାରିକ ଖେଳକୁଦ ସବୁ ଲୋପ ହେବାକୁ ବସିଥିବା ବେଳେ ବଲାଙ୍ଗିରର ଜଣେ ବୋହୁ ଏହି ଖେଳକୁ କେନ୍ଦ୍ରସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଟୟକାଥନ କମ୍ପିଟିସନକୁ ନେଇ ବିଜୟୀ ହୋଇଛନ୍ତି । ବଲାଙ୍ଗିରର ବୋହୁ ତଥା ବଙ୍ଗାଇଗାଓଁରେ ଜବାହର ନବୋଦୟ ବିଦ୍ୟାଳୟରେ କାର୍ଯ୍ୟରତ ଇତିସ୍ମିତା ମିଶ୍ରଙ୍କ ଟିମ ଏହି କମ୍ପଟିସନରେ ଫାଇନାଲ ରାଉଣ୍ଡରେ ବିଜୟୀ ହୋଇଛନ୍ତି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ପାରମ୍ପାରିକ ଜ୍ଞାନକୌଶଲ, ଖେଳକୁଦ ପ୍ରକଳ୍ପ ଆହ୍ୱାନ କରାଯାଇଥିଲା । କେନ୍ଦ୍ରସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ବୈଷୟୀକଶିକ୍ଷା କାଉନସିଲ,ମହିଳା ଓ ଶିଶୁକଲ୍ୟାଣ ବିଭାଗ,ବାଣିଜ୍ୟ ଓ ଶିଳ୍ପ ବିଭାଗ,ଏମଏସଏମଇ, ଟେକ୍ସଟାଇଲ, ସୂଚନା ଓ ପ୍ରସାରଣ ବିଭାଗର ସହଯୋଗିତାରେ ଦେଶର ସବୁଅଞ୍ଚଳରୁ ପ୍ରକଳ୍ପ ଆହ୍ୱାନ କରାଯାଇଥିଲା । ଡିଜିଟାଲ ମୋଡରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମେ ନୋଡାଲସ୍ତରୀୟ, ଫିନାଲେ ଓ ଗ୍ରାଣ୍ଡଫିନାଲେ ପର୍ଯ୍ୟନ୍ତ ଦେଶର ଅନେକ ପ୍ରତିଯୋଗୀଙ୍କ ପ୍ରକଳ୍ପ ଯାଇଥିଲା । ଶେଷରେ ବାଗଡି ଖେଳ ପ୍ରକଳ୍ପକୁ ଶ୍ରେଷ୍ଠ ତାଲିକାରେ ସ୍ଥାନୀତ କରାଯାଇଛି । ଏକ ବୋର୍ଡରେ ଗାର ଟଣାଯାଇ ବାଘ ଓ ଛେଳିକୁ ନେଇ ଛକାପଞ୍ଝାର ଖେଳକୁ ପଶ୍ଚିମାଞ୍ଚଳରେ ବାଗଡି ଖେଳ ଖେଳାଯାଏ । ଏବେ ପ୍ରାୟ ଏହା ଲୁପ୍ତ ହେବାକୁ ବସିଛି । ତେଣୁ ଏହି ପ୍ରକଳ୍ପକୁ ପଠାଇ ଦେଶର ଏକ ସ୍ୱତନ୍ତ୍ର ଖେଳର ପରିଚୟ ଦେବାକୁ ଚେଷ୍ଟା କରାଯାଇଛି ବୋଲି ପ୍ରକଳ୍ପର ମେନଟର ଇତିସ୍ମିତା ମିଶ୍ର କହିଛନ୍ତି । ଆସାମର ବଙ୍ଗାଇଗାଓଁ ଜବାହର ନବୋଦୟ ବିଦ୍ୟାଳୟରୁ ଯାଇଥିବା ଟିମକ୍ରୀଏଟିଭ ମାଷ୍ଟରଙ୍କ ଏହି ପ୍ରକଲ୍ପର ମେନଟର ଟିଜିଟି ଶିକ୍ଷୟତ୍ରୀ ଇତିସ୍ମିତା ମିଶ୍ର ଥିବା ବେଳେ ଲିଡର ଭାବରେ ଛାତ୍ର ଦିବ୍ୟେନ୍ଦୁ ଦାସ ଓ ସଭ୍ୟ ଭାବରେ ରବିଶଙ୍କର, କଲ୍ୟାଣ ବ୍ରହ୍ମା ରହିଥିଲେ । ବଲାଙ୍ଗିରର ଜଣେ ଜଣାଶୁଣା ଯୁବକ ତଥା ବଙ୍ଗାଇଗାଓଁରେ ଶିକ୍ଷକତା କରୁଥିବା ମନୋରଂଜନ ପାଢୀଙ୍କ ସ୍ତ୍ରୀ ହେଉଛନ୍ତି ଶିକ୍ଷୟତ୍ରୀ ଇତିସ୍ମିତା ।