ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଷ ପାନ କରି ଗୋଟିଏ ପରିବାରର ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଶିଶୁ ଗୁରୁତର ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମା’ କଳାବତୀ ସାହୁ(୭୦) ଓ ଝିଅ ସନ୍ତୋଷିନୀ ସାହୁ(୪୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ବର୍ଷର ଶିଶୁ ପୁତ୍ର ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ପାଟିମାଲ ଗାଁର ସନ୍ତୋଷିନୀ ସାହୁ ବିଧବା ହେବା ପରେ ଚାରି ଛୋଟ ଛୁଆଙ୍କୁ ଧରି ନିଜ ବାପ ଘରେ ବୃଦ୍ଧା ମାଆ କଳାବତୀ ସାହୁଙ୍କ ସହ ରହୁଥିଲେ । ତାଙ୍କ ତିନି ଶିଶୁ ବଲାଙ୍ଗିରର ଏକ ଆଶ୍ରମରେ ରହି ପାଠ ପଢୁଥିବା ବେଳେ ଛୋଟ ଶିଶୁ ପୁତ୍ର(୬)ଙ୍କ ସହ ଉଭୟ ମାଆ ଝିଅ ରହୁଥିଲେ । ହେଲେ କୌଣସି କାରଣରୁ ମାଆ ଝିଅ ବିଷ ପାନ କରି ଆତ୍ମହତ୍ୟା କରିଥିବା ବେଳେ ଛୋଟ ଶିଶୁକୁ ମଧ୍ୟ ବିଷ ପିଆଇ ଦେଇଥିବା ଅନୁମାନ କରାଯାଉଛି । ଅପରାହ୍ନରେ ଶିଶୁଟି କାନ୍ଦ ବୋବାଲି ଛାଡିବା ପରେ ପଡୋଶୀ ତଥା ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ । ପରେ ୱାର୍ଡ ମେମ୍ବର ଓ ସରପଞ୍ଚ ଖପ୍ରାଖୋଲ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖପ୍ରାଖୋଲ ପୋଲିସ ଏସଆଇ ଜୟ ଶଙ୍କର ଆଚାର୍ୟ୍ୟ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ଏହି ଅବସରରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସରପଞ୍ଚ ବୈଦ୍ୟନାଥ ମିଶ୍ର, ୱାର୍ଡ ମେମ୍ବର ଖଗେଶ୍ୱର ପୁଟେଲ, ମନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଖପ୍ରାଖୋଲ ଥାନା କେସ୍ ନମ୍ବର ୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପ୍ରାଥମିକ ତଦନ୍ତରେ ବିଷ ପାନ କରି ଆତ୍ମହତ୍ୟା କରିଥିବା ପୋଲସ ଏସଆଇ ଜୟ ଶଙ୍କର ଆଚାର୍ୟ୍ୟ ପ୍ରକାଶ କରିଛନ୍ତି । କେଉଁ କାରଣରୁ ପରିବାରର ତିନି ଜଣ ବିଷ ପାନ କଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।