ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର “ଭାଷା : ନିରାମୟ ଜୀବନ ଯାତ୍ରାର ସର୍ବୋତ୍ତମ ଆଧାର” ଶୀର୍ଷକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ନେପାଲ ଚନ୍ଦ୍ର ବାଗ, ମୁଖ୍ୟବକ୍ତା ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବାଗ ନିଜ ବକ୍ତବ୍ୟରେ ମାତୃଭାଷା ହିଁ ମଣିଷର ଅନ୍ତର୍ବୋଧ ଓ ସୂକ୍ଷ୍ମ ଚେତନାର ଅଭିବ୍ୟକ୍ତି ବୋଲି କହିବା ସହ ଭାଷାର ଆଦାନ ପ୍ରଦାନ ଯେତେ ହେବ ସେତିକି ଭାଷାର ମର୍ଯ୍ୟାଦା ବଢିବ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ଛୁରିଆ ନିଜ ବକ୍ତବ୍ୟରେ ମାତୃଭାଷାରେ ସଂସ୍କୃତିର ସୁରକ୍ଷା ଓ ଭାଷାର ଯୋଜନା ଓ ରୂପାୟନ ପାଇଁ ସବୁଠି ଉଦ୍ୟମ ହେବା ଆବଶ୍ୟକ ବୋଲି କହିବା ସହ ଭାଷାର ପ୍ରକୃତି ବହୁଭାଷିକତା ବୋଲି କହିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁରୋହିତ ନିଜ ସଭାପତିତ୍ୱ ଅଭିଭାଷଣରେ ଆମେ ବହୁଭାଷୀ ହେବା ମାତ୍ର ନିଜ ଭାଷାକୁ ଭୁଲିଯିବା ନାହିଁ କାରଣ ଭାଷା ହିଁ ଆମର ପରିଚୟ, ଆମର ଅସ୍ତିତ୍ୱ । ଏହି ଅବସରରେ ଗତ ମେଟ୍ରିକ ପରୀକ୍ଷାରେ ଭାଷାବୃତ୍ତି ପାଇଥିବା ଛାତ୍ରୀ ମୀନାକ୍ଷି ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜନା ରଂଜିତ ମିଶ୍ର କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ରାଜ କୁମାର ପ୍ରଧାନ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ପ୍ରମୋଦ ବିଶ୍ୱାଲ, ଅଶ୍ୱିନୀ ମହାଲିଙ୍ଗ, ତପନ ବୁଡେକ, ସୁଦାମ କୁମ୍ଭାର, ଜଗନ୍ନାଥ ଯୋଷୀ, ଅମୁଲ୍ୟ ଦୋରା, ଶିକ୍ଷୟିତ୍ରୀ ସୁବାଷିନୀ ସେଠି, ନିରୋତ୍ତମା ବିଶ୍ୱାଲ, ରଶ୍ମିତା ନନ୍ଦ ଏବଂ ରଶ୍ମିତା ବିଶ୍ୱାଲ ।