ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ : ସ୍କୁଲ ମିଶ୍ରଣ ଓ ବନ୍ଦ ନୀତି ସଂପୂର୍ଣ୍ଣ ପ୍ରତ୍ୟାହାର ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟାଳୟ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ସରକାର ମନ ଇଛା ବାବେ ସ୍କୁଲ ଗୁଡିକୁ ମିଶ୍ରଣ କରିବା ସହିତ ବନ୍ଦ ରଖିଛନ୍ତି । ତେଣୁ ରାଜ୍ୟ ସରକାର କାଳ ବିଳମ୍ବ ନକରି ସ୍କୁଲ ମିଶ୍ରଣ ନୀତି ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ସହ ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ସ୍କୁଲ ଗୁଡିକୁ ଖୋଲି ଶିକ୍ଷାରମ୍ଭ କରିବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି ଦୃଢ ଦାବୀ ଉପସ୍ଥାପିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛି । ଦାବୀପତ୍ର ଅନୁସାରେ, ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪୩୭୯ଟି ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ୨୦୨୦-୨୧ଶିକ୍ଷା ବର୍ଷରେ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ । ଯାହା ଫଳରେ ଓଡ଼ିଶାର ପଛୁଆ ଆଦିବାସୀ ଅଧ୍ୟୁଷିତ ଏବଂ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର ୩୭୫ଟି ସ୍କୁଲ ବନ୍ଦ ହେବାର ନିଷ୍ପତ୍ତି ହୋଇଥିଲା । ଉପସ୍ଥାନ କମ୍‌ ଥିବାର କାରଣ ଦର୍ଶାଇ ସରକାର କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟ ସୁଲରେ ମିଶ୍ରଣ କରି ଉକ୍ତ ସ୍କୁଲକୁ ବନ୍ଦ କରୁଥିଲେ । ଜିଲ୍ଲାର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନସଜାଡି ସରକାରୀ ସ୍କୁଲଗୁଡ଼ିକୁ ବନ୍ଦ କରି ଘରୋଇ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ଏହି ମିଶ୍ରଣ ଏବଂ ବନ୍ଦ ନୀତି ଫଳରେ ବନ୍ଦ ହେଉଥିବା ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି ବନ୍ଧା ହେବାର ସମ୍ଭାବନା ସୃଷ୍ଟି ହେଲା । ଅନ୍ୟପଟେ ହଜାର ହଜାର ସିଟି, ବିଏଡ୍‌ ଆଶାୟୀ ପ୍ରାର୍ଥୀ ନିଯୁକ୍ତିର ସମ୍ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । କେନ୍ଦ୍ର ସରକାରଙ୍କ ଶିକ୍ଷା ଧ୍ୱଂସକାରୀ, ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣର ପଥ ସୁଗମ କରିବାର ନୀଳନକ୍ସା ଜାତୀୟ ଶିକ୍ଷାନୀତି-୨୦୨୦ର ପରିପୂରକ ଭାବେ ରାଜ୍ୟ ସରକାର ଏ ନୀତି ଆପଣେଇଥିଲେ । ଏହି ଅନ୍ୟାୟ ନିଷ୍ପତ୍ତି ବିରୋଧରେ ଓଡିଶାର ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ୱତଃ ରାଜ୍ୟବ୍ୟାପୀ ବିରୋଧ ଏବଂ ଆନ୍ଦୋଳନ ଚାପରେ ଏବଂ ବହୁ ଅଭିଯୋଗ ଫଳରେ ଏବେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ସ୍କୁଲ ବନ୍ଦ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି । ୨୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ବନ୍ଦ କରିବା ବିଜ୍ଞପ୍ତି ରଦ୍ଦ କରିବା ସହିତ ଛୋଟଛୋଟ ପିଲାମାନଙ୍କୁ ଦୂର ସ୍କୁଲକୁ ପଠାଇବା ସମ୍ବିଧାନର ଧାରା ୨୧-ମ ଏବଂ ଆଇନ ୨୦୦୯ ତଥା ନିୟମ ୨୦୧୦ର ବିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଛି । ଏଥି ସହିତ ଧ୍ୱଂସପ୍ରାୟ ସରକାରୀ ଶିକ୍ଷାକୁ ସଜାଡିବା ପାଇଁ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଆପଣଙ୍କ ସରକାର ବୃହତର ଜନସାଧାରଣ ତଥା ଛାତ୍ର ସମାଜର ସ୍ୱାର୍ଥ ଦୃଷ୍ଟିରୁ ତାହାକୁ କାର୍ଯ୍ୟକାରୀ ନକରି ଅପରନ୍ତୁ ମାନ୍ୟବର ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ଡିଭିଜନ୍‌ ବେଂଚକୁ ଯାଇଛନ୍ତି ବୋଲି ଦାବୀପତ୍ରରେ ଲିଖିତ ରହିଛି । ରାଜେନ୍ଦ୍ର ରଣାଙ୍କ ନେତୃତ୍ୱରେ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନନ୍ୟା ଦାନୀ, ବିକାଶ ଜେନା, ରଂଜିତ ମାଝି, ମିଥୁନ ମାଝି, ତୁମୁଶ ବେହେରା, ଗୌରୀ ରାଉତ, ଜୋସେପ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.