ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରାଷ୍ଟ୍ର ପୁନେ ଠାରେ ରବିବାର ନୂଆଁଖାଇ ଭେଟଘାଟ କଲ୍ଚରାଲ୍ ଆସୋସିଏସନ୍ ତରଫରୁ ମହା ଆଡମ୍ବର ସହିତ ଅଂକୁଶ ରାଓ ଲାଂଡ଼ଗେ ନାଟ୍ୟଗୃହ, ଭୋଶରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ପୁନେର ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଦ୍ଵାରା ପଞ୍ଜୀକୃତ “ଭେଟଘାଟ କଲ୍ଚରାଲ୍ ଏସୋସିଏସନ୍” ୨୦୦୫ରୁ ପ୍ରତ୍ୟେକ ବର୍ଷ ଏହା ପାଳନ କରି ଆସୁଛି । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ । ଏହି ଉତ୍ସବ ସକାଳ ୧୦ଟା ବେଳେ ଆରମ୍ଭ ହୋଇଥିଲା । ପ୍ରଥମେ ମା’ ସମଲେଇଙ୍କ ପୂଜା ଅର୍ଚ୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏ ବର୍ଷ ଓଡିଶାର ପ୍ରସିଦ୍ଧ ଲୋକନୃତ୍ୟ ଦଳ ଦୁଲ୍ଫୁଲ୍ କଳାପରିଷଦ, ଭୂତିଆବାହାଲ ବରଗଡକୁ ଆମନ୍ତ୍ରଣ କରାଯାଇଥିଲା । ଗୀତବାଦ୍ୟରେ ଖୁବ୍ ଝୁମିଥିଲେ ଦର୍ଶକ । କଳା ଓ ସଂସ୍କୃତିକୁ ପ୍ରଚାର୍ ପ୍ରସାର କରିବା ସମ୍ବଲପୁରୀ ଭୁୁଖା ପିଲ୍ମ ସଂଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଠାରୁ ଏହି ବର୍ଷ କିନ୍ତୁ ଭିନ୍ନ ଏକ ଆକର୍ଷଣ ଥିଲା ମଞ୍ଚ । ସୁନ୍ଦର ଭାବରେ ସୁସଜ୍ଜିତ ହୋଇ ଦର୍ଶକମାନଙ୍କ ମନକୁ ଛୁଇଁ ଯାଇଥିଲା । ଏହି ଅବସରରେ ଭେଟଘାଟ କଲ୍ଚରାଲ୍ ଆସୋସିଏସନ୍ର ସଭାପତି ହେମସାଗର ସାହୁ ଭବିଷ୍ୟତରେ ଏହି ଭେଟଘାଟ ମହୋତ୍ସବକୁ କିପରି ଭାବରେ ଆଗକୁ ନିଆରା ଢଙ୍ଗରେ ପାଳନ ହୋଇ ପାରିବ, ସେଥିପାଇଁ ସେ ଆସୋସିଏସନ୍ର ସମସ୍ତ ସଦସ୍ୟ ମାନଙ୍କୁ ଆହ୍ୱାନ କରିଥିଲେ । ଆସୋସିଏସନ୍ ତରଫରୁ ଭେଟଘାଟ ବାର୍ଷିକ-ପତ୍ରିକା ଅବସରପ୍ରାପ୍ତ ଆଇପିଏସ୍ ଅଫିସର ସଂଜୀବ ପାଟ୍ଟଯୋଶୀ ଉନ୍ମୋଚନ କରିଥିଲେ । ଏହି ଅବସରରେ ପିଙ୍କି ଶର୍ମା ମଞ୍ଚ ପରିଚାଳନାରେ ଥିବାବେଳେ ସଙ୍ଘର ସଞ୍ଜୟ ମହାନ୍ତି, ଦିବ୍ୟକିଶୋର ବକ୍ସି, ଅନୁପ ମିଶ୍ର ପ୍ରମୁଖ ସଭ୍ୟମାନେ ଅନ୍ୟାନ୍ୟ କାମ ତୁଳାଇ ଥିଲେ । ଶେଷରେ ସଭାପତି ହେମସାଗର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପଶ୍ଚିମ ଓଡ଼ିଶାର ରୀତିନୀତି ଅନୁସାରେ ପ୍ରଚଳିତ ଥିବା ଖାଦ୍ୟ ଏଠାରେ ପ୍ରସ୍ତୁତ କରି ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତେ ମନଭରି ଖାଇଥିବା ବେଳେ ନାଚଗୀତକୁ ବେଶ ଖୁସିରେ ଉପଭୋଗ କରିଥିଲେ ।
Next Post